ସୃଷ୍ଟି ହେଲା ଲଘୁଚାପ, ୫ଦିନ ବର୍ଷିବ
ଭୁବନେଶ୍ବର : ବଙ୍ଗୋପସାଗରରେ ଲଗାତାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । କିଛି ଦିନ ତଳେ ସୃଷ୍ଟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇ ଦୁର୍ବଳ ହେବା ପରେ ଏବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର-ଓଡ଼ିଶା ଓ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଏକ ଲଘୁଚାପରେ ପରିଣତ ହୋଇସାରିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ମୟୁରଭଞ୍ଜ, ଯାଜପୁର, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।