ପୁରୀ (ଆମ ଟିଭି): ତୁଟିଲା ବିବାଦ, ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଦେଢ଼ ମାସ ପରେ ଆଜି (୯ ତାରିଖ ବୁଧବାର) ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ବନକଲାଗି ପାଇଁ ବୁଧବାର ସନ୍ଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ରାତି ୧୧ଟା ପରେ ଦର୍ଶନ ସ୍ବାଭାବିକ ହେବ। ଭଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକ ବିବାଦ କାରଣରୁ ନୀଳାଦ୍ରି ବିଜେ ପରଠାରୁ ରତ୍ନସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନଥିଲା। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ପାଇଁ କହୁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ।