ଯୁବପିଢ଼ିଙ୍କୁ ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି ଆବଶ୍ୟକ

0

କଟକ: ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି ଆବଶ୍ୟକ। କଟକରୁ ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକ ବାଆଁରା ଠାରେ ନବନିର୍ମିତ ଜଗଦ୍ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ କହିଛନ୍ତି, ଓଡ଼ିଶା ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ଏକ ଗୌରବମୟ ଭୂମି। ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ଧରିତ୍ରୀ ସଦୀୟ ଧରି ସମାବେଶୀତା, କରୁଣା ଓ ମାନବ କଲ୍ୟାଣର ବାର୍ତ୍ତା ପ୍ରସାର କରିଆସୁଛି। ନିଜ ଭାଷଣରେ ରାଷ୍ଟ୍ରପତି କଟକର ଗୌରବମୟ ଐତିହ୍ୟର ଉଲ୍ଲେଖ କରିଛନ୍ତି। ଏହି ସହର ଉତ୍କଳ ଗୌରବ ମଧୁସୂଦନ ଦାସ, କର୍ମବୀର ଗୌରୀଶଙ୍କର ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକଙ୍କ ଜନ୍ମଭୂମି।

ଏହି ଗୌରବମୟ ମାଟିରେ ସ୍ଥାପିତ ହୋଇଥିବା ଜଗଦ୍ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସହ ଯୋଡ଼ି ସମାଜ ଓ ରାଷ୍ଟ୍ର ସେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଭାରତର ଯୁବଶକ୍ତି ଦେଶର ସବୁଠୁ ବଡ଼ ସମ୍ପଦ। ବିଶ୍ୱବିଦ୍ୟାଳୟଗୁଡ଼ିକ ଏପରି ପରିବେଶ ସୃଷ୍ଟି କରିବା ଉଚିତ, ଯେଉଁଠାରେ ଯୁବପିଢ଼ି ନିଜ ପ୍ରତିଭାର ବିକାଶ କରି ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରିପାରିବେ ବୋଲି ସେ କହିଛନ୍ତି। କେବଳ ଶିକ୍ଷା ନୁହେଁ, ମୂଲ୍ୟବୋଧ, ସତ୍ୟନିଷ୍ଠା, ଶୃଙ୍ଖଳା ଓ ଜାତୀୟ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତା ଗଢ଼ି ତୋଳିବା ମଧ୍ୟ ଉଚ୍ଚଶିକ୍ଷା ସଂସ୍ଥାର ଦାୟିତ୍ୱ।

୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟ ପୂରଣରେ ଉଚ୍ଚଶିକ୍ଷା ସଂସ୍ଥାମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଗବେଷଣା, ନବସୃଷ୍ଟି ଓ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବା ସହ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଜଗଦ୍ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନରେ ଦକ୍ଷ ମାନବ ସମ୍ପଦ, ଗବେଷକ ଓ ଉଦ୍ୟୋଗୀ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.