ଜୀ ସାର୍ଥକରେ ରଥଯାତ୍ରାର ସିଧାପ୍ରସାରଣ ୧ ଜୁଲାଇରେ
ଭୁବନେଶ୍ୱର(ଆମ ଟିଭି): ଜୀ ସାର୍ଥକରେ ଆସନ୍ତା ଜୁଲାଇ ୧ ତାରିଖରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ହେବ । ସକାଳ ୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିବ । ଘରେ ବସି ଜୀ ସାର୍ଥକର ସିଧାପ୍ରସାରଣ ମାଧ୍ୟମରେ ଦର୍ଶକ ରଥଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିପାରିବେ । ଏହି ଅବସରରେ ଓଡିଶାର ପ୍ରଖ୍ୟାତ ପ୍ରବଚକମାନେ ଜୀ ସାର୍ଥକ ଟିଭି ପରଦାରେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ସହ ଭକ୍ତି ଅର୍ଘ୍ୟ ପ୍ରଦାନ କରିବେ । ବିଶିଷ୍ଟ ପ୍ରବଚକ ତଥା ଉଦଘୋଷକ ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା, ପଣ୍ଡିତ ଭଜରାମ ଶତପଥୀ, ଚରଣ ପାର୍ଥସାରଥୀ, ପଣ୍ଡିତ ମୃତ୍ୟୁଞ୍ଜୟ ଶତପଥୀ, ଶାଶ୍ବତୀସୌମ୍ୟା ମିଶ୍ର, ଅଧ୍ୟାପକ ଡଃ ରବି ନାରାୟଣ ପ୍ରମୁଖ ପବିତ୍ର ଘୋଷଯାତ୍ରା ଅବସରରେ ଦର୍ଶକଙ୍କୁ ଭକ୍ତି ରସାମୃତ ପ୍ରଦାନ କରିବେ ।
ସେହିଭଳି ଜୀ ସାର୍ଥକରେ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ସମୟରେ ଭାବ ଓ ଭକ୍ତିର ଧାରା ପ୍ରବାହିତ କରିବେ ବିଶିଷ୍ଟ ଗାୟକ ଓ ଗାୟିକାମାନେ । ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ସୁବାଶ ଦାସ, ଶରତ ନାୟକ, ଶ୍ରୀଚରଣ, ଦିପ୍ତୀରେଖା, ଲିପ୍ସା ମହାପାତ୍ର ପ୍ରମୁଖ ଭଜନ ପରିବେଷଣ କରିବେ । ଜୀ ସାର୍ଥକ ମାଧ୍ୟମରେ ଓଡିଶାବାସୀ ଶ୍ରୀଜିଉମାନଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ଦେଖି ଭାବଭକ୍ତିର ଧାରାରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।