ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

0

ଭୁବନେଶ୍ୱର, ୧୭/୦୯ (ନି.ପ୍ର) : ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି ।

ଏହି ବର୍ଷ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ । ସ୍ପର୍ଶ ହ୍‍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା । ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । ମୁକବଧୀର ବିଦ୍ୟାଳୟର କର୍ମକର୍ତ୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ । ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ” । ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ । ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜାଫର ଇକ୍‍ବଲ ଦୃଷ୍ଟିବାଧିତ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଳୀ, ସନ୍ୟାସୀ ବେହେରା ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓ.ଏ.ଏସ୍‍. ଅଫିସର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜକୁ ସେମାନଙ୍କ ଭଳି ହେବାପାଇଁ ଚେଷ୍ଟା କରିବେ । ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସପିଟାଲର ଡାକ୍ତର, ସ୍ପର୍ଶ ହସପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଧୀର, ଡକ୍ଟର ଅମୃତି ପାଟଯୋଶୀ, ପ୍ରବୀନ୍‍ ଅଗ୍ରୱାଲ, ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ସଭାପତି ନିରଞ୍ଜନ ଜୋଶୀ, ସାଧାରଣ ସମ୍ପାଦକ ଶିବନାରାୟଣ ବହିଦାର, ମୁଖ୍ୟ ପରିଚାଳକ ବିଜୟ କୁମାର ପରିଡା, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାମନ୍ତରାୟ, ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଦେବୀପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ତିତିକ୍ଷା ରାୟ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ନଭନିତ୍‍, ଇପ୍ସିତା ପ୍ରିୟଦର୍ଶନୀ, ରୋଶନ୍‍, ଅସିତ୍‍ ସାହୁ, ଅମୂଲ୍ୟ, ଅଜାତଶତ୍ରୁ, ତପି ମିଶ୍ର, ସୁଜିତ୍‍ ପାଇକରାୟ, ଭବାନୀଶଙ୍କର ଜେନା, ବିଶ୍ୱରଞ୍ଜନ ପଣ୍ଡା, ବାବୁ ବାବୁ, ଅଂଶ ଦାସନାୟକ, କୁମାର ରିଙ୍କୁ, କିଶୋର ଦାସ, ବି ୟାମିନୀ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.