ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ଆଜି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଓ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ । ଗତ ଜୁନ୍ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି ।
ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ସହ ବାଚସ୍ପତି ନିର୍ବାଚନ ସମ୍ପନ୍ନ ହେବ। ବିଜେଡି ପ୍ରାର୍ଥୀ ଭାବେ ଶ୍ରୀମତୀ ମଲ୍ଳିକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଆଜି ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ଶ୍ରୀମତୀ ମଲ୍ଲିକ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ଆସନ୍ତାକାଲି ହିଁ ନିର୍ବାଚନ ପ୍ରକ୍ରିୟା ଶେଷ ସହ ସେ ବାଚସ୍ପତି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।