ପୁଣି ହେବ ଓଡ଼ିଶା ପୋଲିସ SI ପରୀକ୍ଷା, ନୂଆ ତାରିଖ ହେଲା ଘୋଷଣା

0

ଭୁବନେଶ୍ୱର: ପୁଣି ହେବ SI ପରୀକ୍ଷା । ବହୁ ପ୍ରତୀକ୍ଷିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ପୂର୍ବତନ ପୋଲିସ ଡିଜି ତଥା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି । ଡିସେମ୍ବର ୨୬ ଓ ୨୭ରେ ପରୀକ୍ଷା ହେବାକୁ ଥିବାବେଳେ ଏବେ ସବୁଠୁ ବଡ଼ ପ୍ରଶ୍ନ, ଏଥର ବିବାଦମୁକ୍ତ ହେବ ତ ପରୀକ୍ଷା? ପୂର୍ବରୁ ୯୩୩ଟି ପଦବୀ ପୂରଣ ପାଇଁ ଆରମ୍ଭ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବିବାଦ ଘେରକୁ ଆସିଥିଲା । ୨୦୨୫ ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ପରୀକ୍ଷା ବାତିଲ ହୋଇଥିଲା । ଆନ୍ତଃରାଜ୍ୟ ନିଯୁକ୍ତି ରାକେଟ୍ ର ସମ୍ପୃକ୍ତି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣା ପରୀକ୍ଷାର୍ଥୀଙ୍କ ମଧ୍ୟରେ ନିଯୁକ୍ତି ବ୍ୟବସ୍ଥା ପ୍ରତି ଅବିଶ୍ୱାସ ସୃଷ୍ଟି କରିଥିଲା ।

ନୂଆ କମିଶନ ଅଧୀନରେ ଓଏମ୍ ଆର୍ ପଦ୍ଧତିରେ ପରୀକ୍ଷା ଆୟୋଜନ କରାଯିବ। ଏଆଇ ଆଧାରିତ ସିସିଟିଭି ସର୍ଭେଲାନ୍ସ, ଆଧାରଭିତ୍ତିକ ବାୟୋମେଟ୍ରିକ୍ ଯାଞ୍ଚ ଓ ପ୍ରଶ୍ନପତ୍ର ପରିବହନ ଉପରେ କଡ଼ା ନଜର ରଖିବାକୁ ବ୍ୟବସ୍ଥା କରାଯିବ। ତେବେ କେବଳ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବିବାଦମୁକ୍ତ କରିହେବ ନାହିଁ। ଏଥିପାଇଁ ପ୍ରଶାସନିକ ସତର୍କତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିରନ୍ତର ତଦାରଖର ଆବଶ୍ୟକତା ରହିଛି ।ନୂଆ କମିଶନ ସାମ୍ନାରେ ୧୦ ବଡ଼ ଚ୍ୟାଲେଞ୍ଜ ରହିଛି । ପ୍ରଥମ ଚ୍ୟାଲେଞ୍ଜ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଛପା, ପରିବହନ ଓ ବଣ୍ଟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା। ଦ୍ବିତୀୟରେ ନିଯୁକ୍ତି ମାଫିଆଙ୍କ ନେଟୱର୍କ ଉପରେ ନଜର । ପୂର୍ବ ଘଟଣାରେ ଅନେକ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ନେଟୱର୍କ ନିଷ୍କ୍ରିୟ ହୋଇଛି କି ନାହିଁ, ତାହା ନିଶ୍ଚିତ କରିବା ।

ସେହିପରି ଭିତିରି ସଲାସୁତୁରା ରୋକିବା ଆଉ ଏକ ଚ୍ୟାଲେଞ୍ଜ । ପରୀକ୍ଷା ପରିଚାଳନାରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ଘରୋଇ ସଂସ୍ଥାଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ଚ୍ୟାଲେଞ୍ଜ ହେବ । ପ୍ରଶ୍ନପତ୍ର ଛପା ଓ ଅନ୍ୟାନ୍ୟ ଦାୟିତ୍ୱ ନେଉଥିବା ସଂସ୍ଥାର ପୂର୍ବ ରେକର୍ଡ ଯାଞ୍ଚ ସହ ସ୍ୱଚ୍ଛ ଚୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ପଞ୍ଚମ ଚ୍ୟାଲେଞ୍ଜ ନକଲି ପରୀକ୍ଷାର୍ଥୀ ଓ ହାଇଟେକ୍ କପି ରୋକିବା । ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ଓ ପରୀକ୍ଷାରେ ଅଂଶଗ୍ରହଣ ସମ୍ପର୍କରେ ଆଇନସମ୍ମତ ନିଷ୍ପତ୍ତି ନେବା ମଧ୍ୟ ଏକ ଚ୍ୟାଲେଞ୍ଜ ।

ଓଏମ୍ ଆର୍ ସିଟ୍ ରେ ହେରଫେର ରୋକିବା ଉତ୍ତରପତ୍ର ସଂଗ୍ରହ, ପରିବହନ, ସ୍କାନିଂ ଓ ମୂଲ୍ୟାୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବା ଆଦି ଅନ୍ୟତମ ଚ୍ୟାଲେଞ୍ଜ । ଅନ୍ୟ ଚ୍ୟାଲେଞ୍ଜ ଗୁଡିକ ମଧ୍ୟରେ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା, ଆବେଦନ ଓ ଅନ୍ୟାନ୍ୟ ଅଭିଯୋଗର ତ୍ୱରିତ ସମାଧାନ କରିବା, ସମଗ୍ର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାଲିଖିତ ପରୀକ୍ଷା ପରେ ଶାରୀରିକ ଦକ୍ଷତା ପରୀକ୍ଷା, ପ୍ରମାଣପତ୍ର ଯାଞ୍ଚ, ମେରିଟ୍ ଲିଷ୍ଟ ଓ ଚୂଡ଼ାନ୍ତ ଚୟନରେ ନିରପେକ୍ଷତା ବଜାୟ ରଖିବା ଏବଂ ଦୀର୍ଘଦିନ ଧରି ପ୍ରସ୍ତୁତି ଚଳାଇଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କୁ ଏକ ସ୍ୱଚ୍ଛ ଓ ନିରପେକ୍ଷ ନିଯୁକ୍ତି ପ୍ରକ୍ରିୟାର ଭରସା ଦେବା କମିଶନ ସାମ୍ନାରେ ଚ୍ୟାଲେଞ୍ଜ ରହିବ । କେବଳ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା କରାଇବା ନୂଆ କମିଶନର ସଫଳତାର ମାପକାଠି ହେବ ନାହିଁ। ବରଂ ବିନା ଅନିୟମିତତାରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ହେବ ପ୍ରକୃତ ସଫଳତା । ପରୀକ୍ଷାର୍ଥୀଙ୍କ ପାଇଁ ଏହା ଚାକିରି ପାଇବାର ପରୀକ୍ଷା ହୋଇଥିବାବେଳେ ରଶ୍ମି ରଞ୍ଜନ ସ୍ୱାଇଁ ଓ ନୂଆ କମିଶନ ପାଇଁ ଏହା ହେବ ବିଶ୍ୱସନୀୟତାର ପରୀକ୍ଷା।

Leave A Reply

Your email address will not be published.