ତାମିଲନାଡୁ ସରକାରଙ୍କ ଘୋଷଣା: ପୁରୁଷ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି

0

ଚେନ୍ନାଇ: ରାଜ୍ୟ ସରକାରୀ କର୍ମଚାରୀଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ତାମିଲନାଡୁ ସରକାର। ବିବାହିତ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ୧୫ ଦିନର ପିତୃତ୍ୱ ଛୁଟି ବ୍ୟବସ୍ଥା ଲାଗୁ କରିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଆଜି ଘୋଷଣା କରିଛନ୍ତି। ନବଜାତ ଶିଶୁର ଲାଳନପାଳନ ଏବଂ ପାରିବାରିକ ଦାୟିତ୍ୱ ବାଣ୍ଟିବାରେ ପିତାଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ନୂଆ ନିୟମ ପ୍ରଣୟନ କରିଛନ୍ତି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଅନୁଯାୟୀ, ବିବାହିତ ପୁରୁଷ ସରକାରୀ କର୍ମଚାରୀମାନେ ଏହି ୧୫ ଦିନିଆ ପିତୃତ୍ୱ ଛୁଟିର ସୁବିଧା ପାଇପାରିବେ। ନିୟମ ମୁତାବକ, ସମ୍ପୃକ୍ତ ପୁରୁଷ କର୍ମଚାରୀମାନେ ସନ୍ତାନ ଜନ୍ମ ହେବାର ୧୫ ଦିନ ପୂର୍ବରୁ କିମ୍ବା ଶିଶୁ ଜନ୍ମ ହେବା ତାରିଖଠାରୁ ଛଅ ମାସ ମଧ୍ୟରେ ଏହି ଛୁଟି ନେଇପାରିବେ। ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ସରକାରଙ୍କ ଅଧୀନରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ବର୍ତ୍ତମାନ ୩୬୫ ଦିନର ମାତୃତ୍ୱ ଛୁଟି ପ୍ରଦାନ କରାଯାଉଛି। ତେବେ ପୁରୁଷ କର୍ମଚାରୀଙ୍କ ପାଇଁ ମଧ୍ୟ ଅନୁରୂପ ଭାବେ ପିତୃତ୍ୱ ଛୁଟି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ସରକାରୀ କର୍ମଚାରୀ ସଂଘ ଓ କର୍ମଚାରୀମାନଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ଓ ଅନୁରୋଧ ହୋଇଆସୁଥିଲା। କର୍ମଚାରୀମାନଙ୍କ ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ପୁରୁଷ କର୍ମଚାରୀଙ୍କ ପାଇଁ ଏହି ଛୁଟି ମଞ୍ଜୁର କରିଛନ୍ତି।

ସରକାରୀ ବିଜ୍ଞପ୍ତିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ, ମହିଳା ସରକାରୀ କର୍ମଚାରୀମାନଙ୍କୁ ୩୬୫ ଦିନର ମାତୃତ୍ୱ ଛୁଟି ପ୍ରଦାନ କରିବା ମାତୃତ୍ୱର ମହତ୍ତ୍ୱ ଏବଂ ଶିଶୁର କଲ୍ୟାଣ ପ୍ରତି ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ସେହିଭଳି ପୁରୁଷ ସରକାରୀ କର୍ମଚାରୀମାନଙ୍କୁ ପିତୃତ୍ୱ ଛୁଟିର ସୁବିଧା ପ୍ରଦାନ କରାଯିବା ଦ୍ୱାରା ସେମାନେ ପାରିବାରିକ ଦାୟିତ୍ୱକୁ ସଠିକ୍ ଭାବେ ବାଣ୍ଟିପାରିବେ ଏବଂ ଶିଶୁର ବିକାଶ ଓ ଲାଳନପାଳନରେ ପିତାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ସୁନିଶ୍ଚିତ ହୋଇପାରିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ କର୍ମଚାରୀ ମହଲରେ ସ୍ୱାଗତ କରାଯାଇଛି।

Leave A Reply

Your email address will not be published.