ଜୁଲାଇ ୧୭ରେ ମୁକ୍ତିଲାଭ କରିବ ‘କହିବିନି ତତେ ଆଇ ଲଭ ୟୁ’
ଭୁବନେଶ୍ୱର (ଆମ ଟିଭି): ମୁକ୍ତିଲାଭ ଅପେକ୍ଷାରେ ଆଉ ଏକ ନୂଆ ଓଡିଆ ଚଳଚ୍ଚିତ୍ର । ଯାହାର ନାଁ ରହିଛି ‘ କହିବିନି ତତେ ଆଇ ଲଭ ୟୁ’ । ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ ପରିସରରେ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ତିତିଲୀ ପ୍ରଡକ୍ସନ ଓ ଏଲ-ଟି ପ୍ରଡକ୍ସନ ବ୍ୟାନର ସହଯୋଗ ରେ ନିର୍ମିତ ଏହି ନୂଆ ଓଡିଆ ସିନେମାଟି ଆଗାମୀ ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି । ଏଥିସହିତ ଏହି ବ୍ୟାନରରେ ଆଉ ଏକ ନୂଆ ଚଳଚ୍ଚିତ୍ରର ନାଁ ମଧ୍ୟ ଘୋଷଣା କରାଯାଇଛି । ‘ମୋ କାହାଣୀରେ ତୋରି ନାଁ’ ନାମରେ ଏହି ନୂଆ ଚଳଚ୍ଚିତ୍ର ସମ୍ପର୍କରେ ଖୁବଶୀଘ୍ର ଆହୁରି ଅଧିକ ଅପଡେଟ ପ୍ରଯୋଜନା ସଂସ୍ଥା ଯୋଗାଇ ଦେବ ବୋଲି କୁହାଯାଇଛି ।
ଆଲବମ ଓ ମ୍ୟୁଜିକ ଭିଡିଓ ଦୁନିଆର ଚର୍ଚ୍ଚିତ ଲୁବୁନ-ଟୁବୁନ ଯୋଡି ଏଥର ବଡପରଦାରେ କମାଲ କରିଛନ୍ତି । ‘କହିବିନି ତତେ ଆଇ ଲଭ ୟୁ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ । ପ୍ରିତିଶ ମହାନ୍ତି ଏହାର କାହାଣୀ ଲେଖିବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି । ବାପୁ ଗୋସ୍ୱାମୀ ସଂଳାପ ରଚନା କରିଛନ୍ତି । ଉଭୟ ବାପୁ ଗୋସ୍ୱାମୀ ଓ ନିର୍ମଳ ନାୟକ ସିନେମାର ଗୀତଗୁଡିକ ରଚନା କରିଥିବା ବେଳେ ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ ଓ ଦିପ୍ତୀରେଖା ପାଢ଼ୀ ପ୍ରମୁଖ କଣ୍ଠଦାନ କରିଛନ୍ତି । ଗୀତଗୁଡିକ କଟକର ମିଲନ ଷ୍ଟୁଡିଓରେ ରେକର୍ଡ କରାଯାଇଛି । ସିନେମାରେ କ୍ୟୋରିଓଗ୍ରାଫି ଲୁବୁନ-ଟୁବୁନ କରିଥିବା ବେଳେ ଓଡିଆ ଏଣ୍ଟରଟେନମେଣ୍ଟ ଏହାର ଡିଜିଟାଲ ପାର୍ଟନର ରହିଛି ।
ଲୁବୁନଙ୍କୁ ଏଥିରେ ନାୟକ ଭୁମିକାରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ମୁମ୍ବାଇର ସୋନା । ଅନ୍ୟମାନଙ୍କ ମଧ୍ୟରେ ମନସ୍ୱିନୀ, ଅର୍ପିତା କର, ରିସନା, ସରୋଜ ଦାସ, ପ୍ରଭାତୀ ସାହୁ, ଅଶୋକ ଦାସ, ପୁଷ୍ପା ପଣ୍ଡା, ଟନିଆ, ମିଲି ମହାନ୍ତି, ଡିସ୍କୋ ରେଡି, ସନ୍ଦୀପ, ଚିକୁ, କାଳିଆ, ନନସେନ୍ସ ମଣି, ରବି, ଅମର, ଗୁଡୁ, ଅଜୟ ଓ ବିଜୟ ପ୍ରମୁଖ ଅଭିନୟ କରିଛନ୍ତି । ଏଲଟି ଷ୍ଟୁଡିଓ ଇକ୍ୟୁପମେଣ୍ଟସ ଯୋଗାଇ ଦେଇଥିବା ବେଳେ ସେହିଠାରେ ହିଁ ପୋଷ୍ଟ ପ୍ରଡକ୍ସନ କରାଯାଇଛି । ଜବରଦସ୍ତ କାହାଣୀ ସାଙ୍ଗକୁ ଲୁବୁନ ଓ ସୋନା ଯୋଡି ଓଲିଉଡରେ ଧମାଲ କରିବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ କହିଛନ୍ତି ।