ଅମିତ ଶାହାଙ୍କୁ ଭେଟିଲେ ସୌମ୍ୟ!
ଭୁବନେଶ୍ୱର: ନିକଟରେ ବିଜେଡି ଉପସଭାପତି ପଦବୀରୁ ବହିଷ୍କୃତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । ବିିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅମିତ ଶାହାଙ୍କୁ ସୌମ୍ୟ ଭେଟିଛନ୍ତି କି ପ୍ରଶ୍ନରେ ଜୟନାରାୟଣ କହିଛନ୍ତି ଯେ ମୁଁ ଶୁଣିଛି ସୌମ୍ୟ ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ । ସମ୍ପ୍ରତି ଓଡ଼ିଶାରେ ଯାହା ଚାଲିଛି ସୌମ୍ୟ ଅମିତ ଶାହାଙ୍କୁ ଜଣାଇଥିବା ମୁଁ ଶୁଣିଛି । ଜଣେ ସାଧାରଣ ଲୋକ ବି ଶାହାଙ୍କୁ ଭେଟି ପାରିବେ ବୋଲି ଜୟନାରାୟଣ କହିଛନ୍ତି ।
ପ୍ରକାଶ ଯେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇବା ପରେ ତାଙ୍କୁ ବିଜେଡିର ବରିଷ୍ଠ ଉପସଭାପତି ପଦବୀରୁ ବହିଷ୍କାର କରାଯାଇଥିଲା । ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା।