ଦାୟିତ୍ୱ ନେବା ପରେ ଚିତ୍ତରଞ୍ଜନଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ
ଭୁବନେଶ୍ୱର, : ଓଡ଼ିଆ ଚଳଚ୍ଚିତ୍ର, ନାଟକ ଏବଂ ସର୍ବୋପରି ଓଡ଼ିଶା ପାଇଁ ଖୁସି ଖବର । ପୁଣି ଏକ ଜାତୀୟ ସ୍ତରରେ ବଡ଼ ପଦବିରେ ବସିଲେ ଜଣେ ଓଡ଼ିଆ । ପ୍ରଥମଥର ପାଇଁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍ଏସ୍ଡି), ନୂଆଦିଲ୍ଲୀର ନିର୍ଦ୍ଦେଶକ ଭାବେ ଜଣେ ଓଡ଼ିଆ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ଏନ୍ଏସ୍ଡିଆନ୍ ଚିତ୍ତରଞ୍ଜନ ତ୍ରିପାଠୀ ଏନ୍ଏସ୍ଡିର ନିର୍ଦ୍ଦେଶକ ହୋଇଛନ୍ତି । ଏନେଇ ଏନ୍ଏସ୍ଡି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଶ୍ରୀ ତ୍ରିପାଠୀ ଶୁକ୍ରବାର ଏନ୍ଏସ୍ଡି ପରିସରକୁ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ‘ଯେଉଁ ଗୁରୁ ଦାୟିତ୍ୱ ମିଳିଛି ତା’ର ଗୁରୁତ୍ୱ ବଜାୟ ରଖି କାମ କରିବା ସବୁଠୁ ଆହ୍ୱାନପୂର୍ଣ୍ଣ ହେବ’ ।
୧୯୭୧ ମସିହାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜନ୍ମିତ ଶ୍ରୀ ତ୍ରିପାଠୀ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ । ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଓଲିଉଡ ଏବଂ ବଲିଉଡରେ କାମ କରୁଛନ୍ତି । ବଲିଉଡରେ ଅଭିନୟ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୫ରେ ପ୍ରଥମ ଥର ପାଇଁ ଫିଲ୍ମ ‘ତେରା ମେରା ତେଢ଼ା ମେଢ଼ା’ ମାଧ୍ୟମରେ ବଲିଉଡରେ ନିର୍ଦ୍ଦେଶନା ଦେଇଥିଲେ । ନାଟକ ତଥା ମଞ୍ଚକଳାର ଉନ୍ନତି ପାଇଁ ନୂଆଦିଲ୍ଲୀରେ ‘ସୂତ୍ରଧର’ ନାଟ୍ୟ ଦଳ ଗଢ଼ି ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ହେବ ସାଧନାକୁ ଜାରି ରଖିଛନ୍ତି । ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସର ‘ସାକ୍ରେଡ୍ ଗେମ୍ସ’ ସିରିଜ୍ରେ ତ୍ରିବେଦୀ ଭୂମିକା ପାଇଁ ସେ ବେଶ୍ ପରିଚିତ ।