ଓଡିଶା ଆସିବେ ରାଷ୍ଟ୍ରପତି

0

ପାରାଦୀପ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୭ରେ ପାରାଦୀପ ଗସ୍ତରେ ଆସିବେ। ଏ ନେଇ ସରକାରୀ ଭାବେ ରାଷ୍ଟ୍ରପତି ଭବନର ସଚିବ ସମ୍ପଦ ମେହେଟ୍ଟା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଯୋଗେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଗୁରୁବାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ବୋଲି କୁହାଯାଇଛି। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ପାରାଦୀପରେ ରହିବେ ବୋଲି ସରକାରୀ ଚିଠିରେ ଦର୍ଶାଯାଇଛି। ୬୧ ବର୍ଷର ପାରାଦୀପ ବନ୍ଦର ଇତିହାସରେ ଦେଶର ସର୍ବୋଚ୍ଚ ନାଗରିକଙ୍କ ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଶିଳାନ୍ୟାସ ହୋଇଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦର ଆରମ୍ଭ କରିଥିଲେ। ପାରାଦୀପ ବନ୍ଦରର ବୋଇତ ବନ୍ଦାଣ ଉତ୍ସବ ୧୯୯୨ରୁ ଆରମ୍ଭ ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୋଇତ ଯୋଗେ ଓଡ଼ିଶାର ଜଣେ ଝିଅ ନିବେଦିତା ଆଚାର୍ଯ୍ୟଙ୍କୁ ସେହି ବୋଇତରେ ଇଣ୍ଡୋନେସିଆ ପଠାଇଥିଲେ। ସେବେଠାରୁ ବୋଇତ ବନ୍ଦାଣ ଉତ୍ସବ ବର୍ଣ୍ଣାଢ୍ୟ ଭାବେ ପାଳନ ହେଉଛି। ବୋଇତ ବନ୍ଦାଣ ଦେଖିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ କିଛି ସମୟ ପର୍ଯ୍ୟନ୍ତ ଗେଟ୍‌ ଖୋଲିଥାନ୍ତି। ଏହାକୁ ହଜାରରୁ ଅଧିକ ଲୋକ ଦେଖିଥାନ୍ତି। ବୋଇତ ବନ୍ଦାଣ ଉତ୍ସବ ପୂର୍ବ ସାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହୋଇଥାଏ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଦେଇ ପାରାଦୀପରେ ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର ଏଭଳି କାର୍ଯ୍ୟକ୍ରମ କରିଥାନ୍ତି। ଚଳିତବର୍ଷ ରାଷ୍ଟ୍ରପତିଙ୍କ ଗସ୍ତ ନିଷ୍ପତ୍ତି ପରେ ମହୋତ୍ସବର ଗୁରୁତ୍ୱ ବଢ଼ିଯାଇଛି।

Leave A Reply

Your email address will not be published.