ଅମୃତ ମହୋତ୍ସବ ଅବସରରେ ଭାରତ ରଙ୍ଗ ମହୋତ୍ସବରେ ମଞ୍ଚସ୍ଥ ହେବ ୫ଟି କାଳଜୟୀ ନାଟକ

0

ଭୁବନେଶ୍ୱର(ଆମ ଟିଭି): ସ୍ୱାଧିନତାର ୭୨ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସାରା ଦେଶରେ ସଂସ୍କୃତି ମନ୍ତ୍ରଣାଳାୟ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଛି । ଚଳିତ ମହୋତ୍ସବରେ ସଂସ୍କୃତି ବିଭାଗ ସହ ଯୋଡି ହୋଇଛି ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ ଡ୍ରାମା) ଓ କିଟ୍ ବିଶ୍ୱବିଦ୍ୟାଳୟ। ମିଳିତ ଉଦ୍ୟମରେ ସାରା ଦେଶରେ ସ୍ୱତନ୍ତ୍ରତା ଆଧାରିତ ୩୦ଟି ନାଟକ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫେଷ୍ଟିଭାଲ କଣ୍ଡକ୍ଟର ସୁମନ ବୈଦ୍ୟ, ଏନଏସଡିଆନ ସମରେଶ ରାଉତରାୟ ଓ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ।
ଏହି ଅବସରରେ ଦେଶପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ । ୨୨ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ ଅବସରରେ ଓଡିଶାର ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରମାନଙ୍କରେ ନାଟକ ପରିବେଷଣ କାର୍ଯ୍ୟକ୍ରମ କରାଯାଉଛି । ୧୬ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କିଟ୍ କ୍ୟାମ୍ପସ ୬ ଅଡିଟୋରିୟମ ପରିସରରେ ନାଟକ ପରିବେଷଣ ହେବ । ଏହା ପ୍ରତ୍ୟେକ ସଂଧ୍ୟା ୬.୩୦ରେ ନାଟକ ପରିବେଷଣ ହେବ ଓ ଏଥିପାଇଁ ପ୍ରବେଶ ନିଶୁଳ୍କ ରହିଛି । ଭୁବନେଶ୍ୱର ଠାରେ ୨୧ ଜୁଲାଇ ପ୍ରଥମ ସଂଧ୍ୟାରେ ମହାସଂଗ୍ରାମର ମହାନାୟକ (ବକ୍ସି ଜଗବନ୍ଧୁ) ଉଦଘାଟନ ହେବ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଷ୍ୱଭୂଷଣ ହରିଚନ୍ଦନଙ୍କ ଲିଖିତ ଏହି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ବର୍ଷିୟାନ ମଂଚ ନିର୍ଦ୍ଦେଶକ ତଥା ଅଭିନେତା ଧୀର ମଲ୍ଲିକ । ଭୁବନେଶ୍ୱରର ଶତାବ୍ଦୀର କଳାକାର ଏଥିରେ ଅଭିନୟ କରିଛନ୍ତି । ମୁଖ୍ୟ ଅତିଥୀ ଭାବେ ଶ୍ରୀଯୁକ୍ତ ହରିଚନ୍ଦନ କାର୍ଯ୍ୟକ୍ରମ ଉଦଘାଟନ କରିବେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥୀ ଭାବେ ଜଣାଶୁଣା ରଙ୍ଗ ନିର୍ଦ୍ଦେଶକ ତଥା କିଟ କୁଳପତି ଶ୍ରୀ ଦୋଳଗୋବିନ୍ଦ ରଥ ଏବଂ ରାଷ୍ଟ୍ରପତି ପ୍ରଫେସର ତଥା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ଡା ରମେଶ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହିବେ । ୫ଟି ନାଟକ ପରିବେଷିିତ ହେବାକୁ ଥିବା ବେଳେ ପ୍ରଥମ ଦିନ ଓଡିଆ, ଦ୍ୱିତୀୟ ଦିନ ଆସାମ, ତୃତୀୟ ଦିନ ବେଙ୍ଗଲ, ଚତୁର୍ଥ ଦିନ ଆସାମ ଓ ପଞ୍ଚମ ଦିନ ପୁନର୍ବାର ଓଡିଆ କଳାକାରଙ୍କ ଅଜୟ କଳାକୃତି ପରିବେଷିତ ହେବ । ଅଧିକରୁ ଅôଧକ ସଂଖ୍ୟାରେ ଦର୍ଶକ ଯୋଗଦେଇ ସ୍ୱାଧିନତା ସମ୍ପର୍କିତ ନାଟକ ଦେଖିବାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.