ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଯାଦବ
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ।
ଶ୍ରୀ ଯାଦବ ଦକ୍ଷିଣ ଉଜ୍ଜୟୀନ ଆସନରୁ ଜିତିଛନ୍ତି। ସେ ଏଥରକୁ ମିଶାଇ କ୍ରମାଗତ ୩ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ଦଳର ଅନ୍ୟତମ ବରିଷ୍ଠ ନେତା ଭାବେ ମୋହନ ଯାଦବ ବେଶ ପରିଚିତ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ବି ଚର୍ଚ୍ଚା କରୁ ନଥିଲେ। ତଥାପି ସମସ୍ତଙ୍କୁ ଜଳକା କରି ବିଜେପି ତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି।
ଡିସେମ୍ବର ୩ରେ ପ୍ରକାଶିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ରେଜଲ୍ଟ ବିଜେପି ସପକ୍ଷରେ ଯାଇଥିଲା। ଏଠାରେ ଦଳ ସରକାର ଗଠନ କରିବାକୁ ଆବଶ୍ୟକ ଜନମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲେ। ଦୌଡ଼ରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଠାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ପ୍ରମୁଖ ରହିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ମୋହନ ଯାଦବ ବାଜି ମାରି ନେଇଛନ୍ତି।
ଛତିଶଗଡ଼ ଭଳି ମଧ୍ୟପ୍ରଦେଶରେ ମଧ୍ୟ ଦୁଇ ଜଣ ମୁଖ୍ୟମନ୍ତ୍ରୀ ରହିବେ ବୋଲି ମଧ୍ୟ ଜଣାପଡ଼ିଛି। ତେବେ ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ଶିବରାଜ ସିଂହ ଚୌହାନ ହାଇକମାଣ୍ଡ ନିଷ୍ପତ୍ତିରେ ସାମାନ୍ୟ ନିରାଶ ହୋଇଛନ୍ତି। କାରଣ ତାଙ୍କ ନେତୃତ୍ୱରେ ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଥିଲା।