ପୁରୀ: ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ ଅନୁଯାୟୀ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆ ଟେକିବା ସହ ବରଣ କରିଥିଲେ। ନୀତି ସମ୍ପନ୍ନ କରିବା ପରେ ଗଜପତି ମହାରାଜା ଶ୍ରୀନଅରରେ ବ୍ରାହ୍ମଣମାନଙ୍କ ସହ ପ୍ରକଳ୍ପର କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବରଣ ହୋଇଥିବା ବ୍ରାହ୍ମଣମାନେ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରାରୋପଣ କରିଥିଲେ। ସେହିପରି ଶନିବାର ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ। ୧୫ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ୟ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ। ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ।
୧୬ରେ ସୂର୍ୟ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ। ୧୭ ତାରିଖ ବୁଧବାର ସକାଳ ୭ଟାରୁ ପୂଜା ଓ ପ୍ରତିଷ୍ଠା କାର୍ୟ୍ୟ ଆରମ୍ଭ ହେବ। ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଲୋକାର୍ପଣ କରିବେ। ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୁତି ଦେବେ। ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ସୂଚନା ରହିଛି।