ଭାରତୀୟ ପାଇଲଟ ସ୍ମିତଙ୍କୁ ପ୍ରଶଂସା, ଡୋନାଲ୍ଡ ଟ୍ରମ୍ପ ରଖିଲେ ନିଜ ପ୍ରତିକ୍ରିୟା
ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତୀୟ ପାଇଲଟଙ୍କୁ ପ୍ରଶଂସା । ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି ଆକାଶରେ ଘଟିଥିବା ସଂଘର୍ଷ ଏବଂ ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସିକତା ଘଟଣା ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ହ୍ୱାଇଟ୍ ହାଉସର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଲାଗୁଛି ଯେପରି ସହ-ପାଇଲଟ୍ ଜଣକ ହୁଏତ ଜଣେ ଆତଙ୍କବାଦୀ ଥିଲା କିମ୍ବା କୌଣସି ମାନସିକ ବିକୃତ ବ୍ୟକ୍ତି ଥିଲା, ଯିଏ ମୁଖ୍ୟ ପାଇଲଟଙ୍କୁ ଛୁରାମାଡ଼ କରିଥିଲା । ପାଇଲଟଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଏଭଳି ସ୍ଥିତିରେ ମଧ୍ୟ କବାଟ ଖୋଲି ସେ ଏକ ପ୍ରକାର ହିରୋ ଭାବେ କାର୍ଯ୍ୟ କରିଛନ୍ତି ।
ବୁଧବାର ସନ୍ଧ୍ୟାରେ ଫ୍ଲାଏ ଦୁବାଇ ବିମାନମଝି ଆକାଶରେ ଥିବା ସମୟରେ ଓମାନୀୟ ସହ-ପାଇଲଟ୍ ଅତର୍କିତ ଭାବେ ମୁଖ୍ୟ ପାଇଲଟ୍ ଭାରତୀୟ ନାଗରିକ କ୍ୟାପଟେନ ସ୍ମିତ୍ ମାଚ୍ଛରଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ବିମାନକୁ କ୍ରାସ୍ କରାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି-ଆକାଶରେ କକପିଟ୍ ଭିତରେ ଜଣେ ପାଇଲଟ ବିମାନକୁ କ୍ରାସ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସହ ପାଇଲଟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ବିମାନ FZ1073ରେ ଛୁରାମାଡ଼ର ଶିକାର ହୋଇଥିଲେ ପାଇଲଟଙ୍କ ନାମ ସ୍ମିତ୍ ମଚ୍ଛାର । ସେ ଜଣେ ଭାରତୀୟ ନାଗରିକ । ଦୁବାଇରୁ ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଇଦୁବାଇ ବିମାନରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନାଗରିକ ଥିଲେ । ଉଡ଼ାଣ ଚାଲିଥିବା ସମୟରେ ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ମୁଖ୍ୟ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ଉପରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ରକ୍ତାକ୍ତ ଓ ଗୁରୁତର ଆହତ ହେବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ନିଜର ଶେଷ ସାମର୍ଥ୍ୟ ପ୍ରୟୋଗ କରି କକ୍ ପିଟ୍ ର ସୁରକ୍ଷା ଦ୍ୱାର ଖୋଲି ଦେଇଥିଲେ ।