ବାସହୀନ ସେବାୟତଙ୍କୁ ମିଳିବ ଆବାସ, ଉପକୃତ ହେବେ ୫୦୦ ସେବାୟତ
ପୁରୀ(ଆମ ଟିଭି): ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା। ବାସହୀନ ସେବାୟତଙ୍କୁ ମିଳିବ ବାସଗୃହ। ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ ୫୦୦ ସେବାୟତ। ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଯାଗା ଚିହ୍ନଟ କରାଯାଇ ପାଚେରୀ ଘେରାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ସାମାଜିକ, ଅର୍ଥନୈତିକ ସର୍ବେକ୍ଷଣ ସରିବା ପରେ ସେବାୟତ ବାସଗୃହ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୦୧୪ ଓ ୨୦୧୫ ରେ ସେବାୟତ ଜଣଗଣନା କରାଯାଇଥିଲା। ନବକୃଷ୍ଣ ଚୌଧୁରୀ centre for development studies ତରଫରୁ ସେବାୟତ ମାନଙ୍କର socio economic status କୁ ନେଇ ପୁନଃ ଗଣନା ହୋଇଥିଲା। ଏହି ସେବାୟତ ବାସଗୃହ ଯୋଜନାରେ ଗରିବ ଓ ଆର୍ଥିକ ସ୍ୱଚ୍ଛଳ ନଥିବା ସେବାୟତ ଉପକୃତ ହେବେ।
ପ୍ରଥମେ ୪୦୦ ସେବାୟତଙ୍କ ପାଇଁ ଚିହ୍ନଟ ହୋଇଥିବା ଜମିରେ G+ 3 ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ଚଳିତ ଆର୍ଥିକ ବର୍ଷ ବଜେଟରେ ହରଚଣ୍ଡୀ ଓ ମାଟିମଣ୍ଡପ ସାହି ମୌଜାରେ ସେବାୟତ ବାସଗୃହ ଯୋଜନା ପାଇଁ ମୋହର ବାଜିଥିଲା। ଅନେକ ସେବାୟତଙ୍କ ଆର୍ଥିକ ଅବସ୍ଥା ଦୟନୀୟ ଥିବାବେଳେ ଆର୍ଥିକ ଅଭାବ ଅନାଟନରେ କାଳାତିପାତ କରୁଥିବା କିଛି ସେବାୟତ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ଅନୁଯାଇ ଯଥାଶୀଘ୍ର ସେବାୟତଙ୍କ ପାଇଁ ଉଦିଷ୍ଟ ଆବାସିକ ଯୋଜନା ଶୀଘ୍ର କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି। ୨୦୧୩ ମସିହାରେ ନବକୃଷ୍ଣ ସେଣ୍ଟର ଫର ଡେଭେଲେପମେଣ୍ଟ ଷ୍ଟଡିଜ ପକ୍ଷରୁ ସେବାୟତଙ୍କ ସମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ପ୍ରାୟ ୨୨୩୬ ସେବାୟତ ପରିବାର ଥିବା ବେଳେ ୯୫୫୮ଜଣ ସେବାୟତ ରହିଥିବା ଜଣାପଡିଛି। ସେବାୟତଙ୍କ ସଂଖ୍ୟା, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଅନ୍ୟ ବୃତ୍ତି ଓ ଆର୍ଥିକ ସ୍ଥିତି ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ। ସେବାୟତଙ୍କ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ୨୫୦ଟି ହାଉସିଂ ନିର୍ମାଣ ହେବ। ଅନେକ ସେବାୟତ ସାହିରେ ଗୋଟିଏ ଗୋଟିଏ ଘରେ ୧୦-୧୫ ପରିବାର ବହୁ କଷ୍ଟରେ ରହୁଥିବା ନଜିର ରହିଥିବା ବେଳେ ଅନେକ ସେବାୟତ ପରିବାର ମଧ୍ୟ ବାସହୀନ।
ଦୀର୍ଘବର୍ଷ ହେବ ବାସହୀନ ସେବାୟତ ପରିବାରକୁ ଘର ଯୋଗାଇବା ଚର୍ଚ୍ଚା ହୋଇଆସୁଛି। ଯେଉଁ ଗରିବ ସେବାୟତ ମାନେ ରହିଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ଯେଉଁ ମାନଂକର ଘର ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ଗୃହ କେଉଁଭଳି ଭାବେ ମିଳିବ ସେ ସେଇ ବ୍ୟବସ୍ଥା କରାଯାଉଛ। ପ୍ରଥମ ପର୍ଯ୍ୟାୟରେ ହରଚଣ୍ଡୀ ସାହି ମୌଜାରେ ଥିବା ମହିପ୍ରକାଶ ମଠର ୩ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।