ଏସସିବି ନାଁରେ ସାଙ୍ଘାତିକ ଅଭିଯୋଗ, କ୍ୟାନ୍ସର ନଥାଇବି ଅଙ୍ଗ କାଟିଦେଲେ ରୋଗୀର
କଟକ (ଆମ ଟିଭି):କ୍ୟାନ୍ସର ହୋଇନି । କେମୋ ଦେଇ ଅଙ୍ଗ କାଟିଦେଲେ । ଏସସିଵିରେ କ୍ୟାନସର ପରୀକ୍ଷାର ଭୁଲ ରିପୋର୍ଟ ଆସିଥିବା ନେଇ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୪୫ ବର୍ଷୀୟା ପ୍ରଦୀପ୍ତା ଶତପଥୀ । ତାଙ୍କ ଛାତିରେ ଏକ ମାଂସ ବଢ଼ିବାରୁ ଗତବର୍ଷ ଅଗଷ୍ଟ ୬ତାରିଖରେ ଏସସିବିର ସର୍ଜରି ବିଭାଗକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ତାଙ୍କର କ୍ୟାନସର ପରୀକ୍ଷା କରାଯାଇଥିଲା । ବାୟୋପ୍ସି ରିପୋର୍ଟ ନେଗେଟିଭ୍ ଆସିବାରୁ ଡାକ୍ତର ଔଷଧ ଖାଇବା ଲାଗି ପରାମର୍ଶ ଦେବା ସହ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖ ପରେ ଅସ୍ତ୍ରୋପଚାର ପାଇଁ ସମୟ ଦେଇଥିଲେ । କିନ୍ତୁ କରୋନାର ତୃତୀୟ ଲହର ଯୋଗୁଁ ମାର୍ଚ୍ଚ ୧୬ ତାରିଖରେ ହୋଇଥିଲା ଅପରେସନ୍ । ଏସସିବିର ସର୍ଜରି ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ମାଂସକୁ ବାହାର କରି ଦିଆଯାଇଥିଲା ।
ଅସ୍ତ୍ରୋପଚାର ପରେ ବାହାରିଥିବା ମାଂସକୁ ବାୟୋପ୍ସି ପାଇଁ ପୁଣିଥରେ ପଠାଯାଇଥିଲା । ଏପ୍ରିଲ ୬ତାରିଖରେ ରିପୋର୍ଟ କ୍ୟାନସର ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା । କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଏସସିବି ପାଥୋଲୋଜି ଦେଇଥିବା ରିପୋର୍ଟକୁ ଆଧାର କରି ମେ’ ୧୩ ତାରିଖରେ ଡାକ୍ତର ପୁଣିଥରେ ଅସ୍ତ୍ରୋପଚାର କରିଥିଲେ । ଜୁନ ମାସରୁ ୨ଟି କେମୋ ମଧ୍ୟ ଦିଆଯାଇଛି ।ଏପ୍ରିଲ ୬ ତାରିଖରେ ଏସସିବି ପାଥୋଲଜି ବିଭାଗ ପଜିଟିଭ୍ ରିପୋର୍ଟ ଦେଇଥିଲା । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ରେଡିଓ ଥେରାପିଷ୍ଟଙ୍କ ମନରେ ସନ୍ଦେହ ଉପୁଜିବାରୁ ଆଉ ଥରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପରୀକ୍ଷା ପାଇଁ କହିଥିଲେ । ମାତ୍ର ଏସସିବି କର୍ମଚାରୀ ନମୁନା ଦେବାକୁ ମନା କରିଥିଲେ । ପରେ ହିଷ୍ଟୋପାଥୋଲଜିକୁ ଯିବା ପରେ ନମୁନା ନମ୍ବର ପି-୫୩ ଓ ପି-୬୩ରେ ସଂଶୋଧନ କରି ରିପୋର୍ଟ ଦେଇଥିଲେ । ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଘରୋଇ ଲ୍ୟାବରେ ନମୁନା ପରୀକ୍ଷା କରିଥିଲେ ପରିବାର ଲୋକ । ସେଠାରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏସସିବିରେ ନମୁନା ରିପୋର୍ଟ ନମ୍ବରରେ ହୋଇଥବା ତ୍ରୁଟିକୁ ଟାଇପିଂ ଏରର୍ ଓ ମନୁଷ୍ୟକୃତି ବୋଲି କହିଥିଲେ ଏସସିବି କର୍ମଚାରୀ । ପରିବାର ଲୋକ ସନ୍ଦେହ କରୁଛନ୍ତି ଭିନ୍ନ ନମୁନାର ରିପୋର୍ଟ ଦିଆଯାଇଛି । ତେବେ ଏସସିବି କର୍ତ୍ତୃପକ୍ଷ କହିଛନ୍ତି ଅଭିଯୋଗ ଆସିବା ପରେ ରିପୋର୍ଟ ମଗାଯାଇଛି, ଯଦି କେହି ତ୍ରୁଟି କରିଥିବେ । ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।