ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ଜାରି ରହିବ; କେଜ୍ରିୱାଲ

0

ନୂଆଦିଲ୍ଲୀ (ଆମ ଟିଭି): ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲରୁ ମୁକୁଳିଛନ୍ତି। ସେ ଭଗବାନ ହନୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଜନସାଧାରଣଙ୍କ ସମର୍ଥନ ଲୋଡ଼ିଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରଚାର ନିମନ୍ତେ କେଜ୍‌ରିଓ୍ବାଲଙ୍କୁ ସର୍ବୋଚ୍ଚ ଅଦାଲତ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ବାହାରିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟିର ନେତା ଓ କର୍ମୀମାନେ ଢୋଲ ବଜାଇ ଓ ସ୍ଲୋଗାନ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏକ କାର୍‌ର ସନ୍‌ରୁଫ୍‌ରେ ଛିଡ଼ାହୋଇ ସେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ।

ଭାରତ ମାତା କୀ ଜୟ, ଇନ୍‌କିଲାବ ଜିନ୍ଦାବାଦ ସ୍ଲୋଗାନ ଦେଇ କେଜ୍‌ରିଓ୍ବାଲ କହିଥିଲେ, ଏକଚ୍ଛତ୍ରବାଦ ବିରୋଧରେ ସେ ତାଙ୍କର ସବୁ ଶକ୍ତି ଲଗାଇ ଲଢ଼ୁଛନ୍ତି। ଏହା ବିରୋଧରେ ଲଢ଼ିବା ପାଇଁ ୧୪୦ କୋଟି ଦେଶବାସୀ ଏକାଠି ଆଗେଇ ଆସିବାକୁ ହେବ ବୋଲି ସେ କହିଛନ୍ତି। ଶନିବାର ସକାଳେ ସେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ଅପରାହ୍ନ ୧ଟା ବେଳେ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବେ। ଭଗବାନ ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆପଣମାନଙ୍କ ଗହଣକୁ ଫେରିଆସିଛି। ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.