ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଉଦୟ ଉମେଶ ଲଳିତ
ନୂଆଦିଲ୍ଲୀ(ଆମ ଟିଭି): ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଉଦୟ ଉମେଶ ଲଳିତ। ଏବେର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନାଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଲଳିତ ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନା ଚଳିତମାସ ୨୬ ତାରିଖରେ ଅବସର ନେଉଥିବାରୁ ୨୭ ତାରିଖ ଦିନ ଜଷ୍ଟିସ ଉମେଶ ଉଦୟ ଲଳିତ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ।
ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଜଷ୍ଟିସ ଏସ ଏମ ଶିକରୀ ୧୯୬୪ ମାର୍ଚ୍ଚ ମାସରେ ଶୀର୍ଷ ଅଦାଲତ ପୀଠରୁ ସିଧା ସଳଖ ପଦୋନ୍ନତି ପାଇଥିବା ପ୍ରଥମ ବିଚାରପତି ।