ଭୁବନେଶ୍ୱର (ଆମ ଟିଭି): ଆଜି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଚାରିଆଡେ ବହୁ ଆଡ଼ମ୍ବରରେ ପାଳିତ ହେଉଥିଲା । ଏହା ଭିତରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିବା ପରି ଖବର ମଧ୍ୟ ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ ରଂଜନ ଗତ ନିର୍ବାଚନରେ ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢେଇ କରି ହାରିଯାଇଛନ୍ତି। ହେଲେ ଆଜି ତାଙ୍କ ସାକ୍ଷାତକୁ ନେଇ ବେଶ ଚର୍ଚ୍ଚା ବଢିଯାଇଛି।
ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ଅତିଥୀ ଭବନରେ ବିଭିନ୍ନ ବର୍ଗର ଭଉଣୀମାନେ ଆସି ତାଙ୍କୁ ରାକ୍ଷୀ ପିନ୍ଧାଉଥାନ୍ତି। ଏହା ଭିତରେ ପ୍ରବେଶ କଲେ ବର୍ତ୍ତମାନ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଥିବା ସୌମ୍ୟରଂଜନ। ତାଙ୍କ ଆସିବା ନେଇ ସେଠାରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ବହୁ ନେତା ଆଶ୍ଚର୍ଯ୍ୟ ହୋଇଥିଲେ। ସେ କଣ ବିଜେପିରେ ମିଶିବେ କି ବୋଲି ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା।
ହେଲେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ କିଛି ସମୟ କଥା ହୋଇ ବାହାରକୁ ଆସିଥିଲେ। ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି ବୋଲି ଖବର ଆସିବା ପରେ ଗଣମାଧ୍ୟମ ସେଠାରେ ଛକି ରହିଥିଲେ। ସୌମ୍ୟରଂଜନ ବାହାରିବା ପରେ ସେ କଣ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନ ପଚରାଯାଇଥିଲା। ହେଲେ ସୌମ୍ୟରଂଜନ କହିଥିଲେ ଯେ, ଖାଲି ବିଜେପିରେ ମିଶିଲେ କଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯାଏ?
ସେ ଆହୁରି କହିଥିଲେ ଯେ, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ସମସ୍ତେ କଣ ବିଜେପି। ସେ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ, ତାଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ଆମର ନିଶା ନିବାରଣ ଉପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛି। କେବଳ ଦଳରେ ରହିଲେ ଯେ ରାଜନୀତି କରିହେବ ତା ନୁହେଁ। ଦଳରେ ନ ରହି, ନିର୍ବାଚନ ନ ଲଢି ମଧ୍ୟ ରାଜନୀତି କରିହେବ।