ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି

0

ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି। କେବଳ ସେତିକି ନୁହେଁ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ। ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ଏକ କୁଠାରଘାତ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଆନ୍ଧ୍ରର ପୂର୍ବତନ ୱାଇଏସ୍‌ଆର ସରକାରଙ୍କ ଉପରେ ସେ ଏପରି ସାଂଘାତିକ ଅଭିଯୋଗ ଆଣି ପ୍ରବଳ ବର୍ଷିଛନ୍ତି।

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ରାଜ୍ୟରେ ଜଗନ ସରକାର ଥିବା ବେଳେ ମନ୍ଦିର ପ୍ରସାଦରେ ନିମ୍ନମାନର ସାମଗ୍ରୀ ସାଙ୍ଗକୁ ପଶୁ ଚର୍ବି ମିଶା ଯାଉଥିବା ଜାଣିବାକୁ ପାଇଥିଲି। ଏହା ମୋତେ ଚକିତ କରିବା ସହ ଖୁବ୍ ବ୍ୟତିବ୍ୟସ୍ତ କରି ପକାଇଥିଲା। ଏହି ମନ୍ଦିର ଉପରେ କୋଟି କୋଟି ଭକ୍ତ ଆସ୍ଥା ପ୍ରକଟ କରୁଥିବା ବେଳେ ଏପରି କରିବା ନିମନ୍ତେ ସେ ଲଜ୍ଜାବୋଧ କରିବା ଉଚିତ ଥିଲା। ଏନଡିଏ ଦଳ ବୈଠକରେ ଏପରି ଆରୋପ ଲଗାଇଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ।

ତିରୁପତିର ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରେ ଲଢ଼ୁ ପ୍ରସାଦ ରୂପେ ଲଗା ଯାଇଥାଏ। ଏହି ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ ଉପରେ ନ୍ୟସ୍ତ । ମୁଖ୍ୟମନ୍ତ୍ରୀ କହିଛନ୍ତି,ଏବେ କିନ୍ତୁ ତିରୁପତି ଲଡୁ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି। ଫଳରେ ଏହାର ମାନରେ ପରିବର୍ତ୍ତନ ହୋଇଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଏପରି ଅଭିଯୋଗରେ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍‌ଆର କଂଗ୍ରେସ। ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ସେ କହିଛନ୍ତି। କାରଣ ତିରୁମାଳା ପ୍ରସାଦ ଉପରେ ଏପରି ଟିପ୍ପଣୀ ଖୁବ୍‌ ଅଶୋଭନୀୟ। କୌଣସି ବି ବ୍ୟକ୍ତି ପ୍ରସାଦକୁ ନେଇ ଏପରି ଶବ୍ଦ ପ୍ରୟୋଗ କରିବା କିମ୍ବା ଅଭିଯୋଗ ଉଠାଇବା ଉଚିତ ନୁହେଁ।

Leave A Reply

Your email address will not be published.