ଦେବାଶିଷ ସାମନ୍ତରାୟଙ୍କ ବଡ଼ ବୟାନ: ବିଜେଡି ଛାଡ଼ି କେହି…

0

କଟକ (ଆମ ଟିଭି): ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ ନାହୁଁ ବୋଲି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି। ଦୁଇ ଜଣ ରାଜ୍ୟ ସଭା ସଦସ୍ୟ ବିଜେଡି ଛାଡ଼ିବାକୁ ନେଇ ଦେବାଶିଷ ଏଭଳି ପ୍ରତିକ୍ରିୟା ରଖିଛନ୍ତି। କଟକ ରାଜାବଗିଚାସ୍ଥିତ କାର୍ଯ୍ୟାଳୟଠାରେ ରବିବାର ଦେବାଶିଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଓ ସୁଜିତ୍‌ କୁମାର କାହିଁକି ବିଜେଡି ଛାଡ଼ିଲେ ତାହା ସେମାନଙ୍କ ବ୍ୟକ୍ତିଗତ କାରଣ। ଏଥିରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ। କିନ୍ତୁ ବିଜେଡି ସେମାନଙ୍କୁ କେଉଁ ପରିସ୍ଥିତିରେ ରାଜ୍ୟ ସଭା ପଠାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମହାନତାକୁ ସେମାନେ କଦାପି ଭୁଲିବା ଉଚିତ୍‌ ନୁହେଁ ବୋଲି ଦେବାଶିଷ କହିଛନ୍ତି।

ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ୍‌ ପାତ୍ର ଦଳବଦଳ କରିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଦେବାଶିଷ କହିଛନ୍ତି, ବିଜେଡି ଏହି ଦୁଇ ନେତାଙ୍କୁ ଯେଉଁ ସ୍ଥାନ ଦେଇଛି ତାହା ଅନ୍ୟ କେଉଁ ଦଳ ଦେଇପାରିବ ନାହିଁ। ସେମାନଙ୍କ ନଁା ନେଇ ବହୁ ଚର୍ଚ୍ଚା ହେଉଛି। କିନ୍ତୁ ସେଥିରେ ସତ୍ୟତା ନାହିଁ। ରାଜ୍ୟ ସଭାରେ ଭାଜପାର ସଂଖ୍ୟା ଯାହା ରହିବା ଆବଶ୍ୟକ ତାହା ନ ଥିବାରୁ ସେହି ଦଳ ଏଭଳି ଏକ ଚକ୍ରାନ୍ତ ରଚିଛି। ହେଲେ ଭାଜପା ଏଥିରେ ସଫଳ ହେବ ନାହିଁ। ନବୀନ ପଟ୍ଟନାୟକଙ୍କୁ ଆମେ କେବେ ଛାଡ଼ି କି ଯିବୁ ନାହିଁ ବୋଲି ଦେବାଶିଷ ସ୍ପଷ୍ଟ କରିଛନ୍ତି।

ସେହିପରି ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ ସମ୍ପର୍କରେ ଦେବାଶିଷ କହିଛନ୍ତି, ଅନେକ ଆଇଏଏସ୍‌ ଅଧିକାରୀ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଏବେ ଯାହା ପାଳି ପଡ଼ିଛି ସେ ତଦନ୍ତର ସମ୍ମୁଖୀନ ହେବା ଆବଶ୍ୟକ। କେଉଁ ଦଳ ଶାସନ କରୁଛି ତାହା ଏହି ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ସେ ତାଙ୍କ ଦୁର୍ନୀତି ଜାରି ରଖିଥାନ୍ତି। ଯିଏ ନିଜ କ୍ଷମତା ବଳରେ ବଳିଆନ୍‌ ହୋଇ ଦୁର୍ନୀତି କରିବେ ସେ ଦଣ୍ଡ ପାଇବା ଉଚିତ୍‌ ବୋଲି ସାମନ୍ତରାୟ କହିଛନ୍ତି।

Leave A Reply

Your email address will not be published.