ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରୁ ୧୧ କୋଟି ଟଙ୍କାର କଏନ ଗାଏବ
ନୂଆଦିଲ୍ଲୀ (ଆମ ଟିଭି): ବ୍ୟାଙ୍କରୁ କଏନ ଗାଏବ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ରାଜସ୍ଥାନର କରୌଲି ସ୍ଥିତି ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ)ର ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାରେ ଧରପଗଡ଼ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୨୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି। କଏନ ଗାଏବ ଘଟଣା ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଚଳିତ ବର୍ଷ ଏପ୍ରିଲ ୧୩ରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଏହିକ୍ରମରେ ଆଜି ସିବିଆଇର ଏକାଧିକ ଟିମ୍ ଦିଲ୍ଲୀ, ଜୟପୁର, ଦଉସା, କରୌଲି, ସୱାଇ ମାଧୋପୁର, ଅଲୱାର, ଉଦୟପୁର ଓ ଭିଲୱାରାର ୨୫ଟି ସ୍ଥାନରେ ରେଡ୍ କରିଥିଲେ। ୧୫ ଜଣ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ସହ ଜଡ଼ିତ ଲୋକଙ୍କ ଠିକଣାରେ ଏହି ରେଡ୍ କରାଯାଇଛି। କଏନ ଗାଏବ ହେବା ପରେ ଏସ୍ବିଆଇ ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ରାଜସ୍ଥାନ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଗାଏବ କଏନର ମୂଲ୍ୟ ୩ କୋଟିରୁ ଅଧିକ ହୋଇଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିୟମ ଅନୁସାରେ ତଦନ୍ତ କରିବା କଥା। ଏହାକୁ ଆଧାର କରି ଏସ୍ବିଆଇ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା।