ଥିଲେ ଯେଉଁଠି, ଫେରିଲେ ସେଇଠିକି ଫେରିଲେ ରଘୁବର

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଥିଲେ ଯେଉଁଠି ସେଇଠିକି ଫେରିଯାଇଛନ୍ତି। ପୂର୍ବରୁ ଭାଜପା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ପରେ ପୁଣି ଥରେ ଶୁକ୍ରବାର ଭାଜପାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଝାଡ଼ଖଣ୍ଡର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଭାଜପା ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଓଡ଼ିଶା ରାଜ୍ୟପାଳ ପଦରୁ ରଘୁବରଙ୍କୁ ହଟାଇ ତାଙ୍କ ସ୍ଥାନରେ ହରିବାବୁ କମ୍ଭମପଟିଙ୍କୁ ଦାୟିତ୍ୱ ଦିଆଯାଇଛି। ରଘୁବର ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ବେଳେ ସେ ରାଜନୀତିକୁ ଫେରିବେ ବୋଲି ରାଜ୍ୟର ଅନେକ ଭାଜପା ନେତା ମତ ରଖିଥିଲେ। ରଘୁବର ମଧ୍ୟ ସେତେବେଳେ ଦାୟିତ୍ୱରୁ ହଟିବା ପରେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ ବୋଲି କହିଥିଲେ।

ସେହିଭଳି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ରଘୁବର ରାଜନୀତିରେ ଯୋଗଦେବାକୁ ଇଚ୍ଛୁକ ଥିବା କଥା ପ୍ରତିକ୍ରିୟାରେ କହିଥିଲେ। ତେବେ ରଘୁବର ରାଜ୍ୟପାଳ ପଦରୁ ହଚିବାର କିଛିଦିନ ପରେ ଭାଜପା ସଦସ୍ୟତା ଗ୍ରହଣକରି ପୁଣି ଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। ହେଲେ କେନ୍ଦ୍ର ତାଙ୍କୁ ସେପରି କିଛି ବଡ ଦାୟିତ୍ୱ ଏ ପର୍ଯ୍ୟନ୍ତ ପ୍ରଦାନ କରିନାହିଁ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ନିର୍ବାଚନ ସମୟରେ ରଘୁବର ନିର୍ବାଚନ ଲଢିବା ଲାଗି ଆଶା ରଖିଥିଲେ। ହେଲେ ଭାଜପା ତାଙ୍କୁ ସେହି ସୁଯୋଗ ଦେଇ ନ ଥିଲା। ନିର୍ବାଚନ ସରିବା ପରେ ତାଙ୍କୁ ଓଡ଼ିଶା ରାଜ୍ୟପାଳ ପଦରୁ ହଟାଗଲା। ଏବେ ସେ ଝାଡ଼ଖଣ୍ଡ ରାଜନୀତିକୁ ଫେରିଛନ୍ତି। ଗତ ଝାଡ଼ଖଣ୍ଡ ନିର୍ବାଚନରେ ଭାଜପା ସରକାର ଗଠନ କରିବାରେ ବିଫଳ ହୋଇଛି।

Leave A Reply

Your email address will not be published.