ଭୁବନେଶ୍ୱର (ଆମ ଟିଭି): ବଳ ଗୋଟାଉଛନ୍ତି ମେଳି ବାନ୍ଧୁଥିବା ବିଜେଡିର ଯୁବ ଗୋଷ୍ଠୀ । ଦେବାଶିଷଙ୍କ ଘରୁ ବିଦ୍ରୋହର ସ୍ବର। କୋଟେରୀ ଗ୍ରୁପ୍ ବିରୁଦ୍ଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିବା ଯୁବ ନେତାଙ୍କ ଗୋଷ୍ଠୀରେ ବଢୁଛି ସଦସ୍ୟଙ୍କ ସଂଖ୍ୟା । ଭୁବନେଶ୍ବର ଓ ବ୍ରହ୍ମପୁରରେ ଯୁବଗୋଷ୍ଠୀଙ୍କ ମେଳି ପରେ ନବୀନ ନିବାସ ଡାକି ଆଲୋଚନା କରିଥିଲେ ନବୀନ । କିନ୍ତୁ ସାଙ୍ଗଠନିକ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପରେ ପରେ କଟକରେ ପୁଣି ଥରେ ବିରାଟ ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରିଛନ୍ତି କବାଟକିଳା ସନ୍ୟାସୀଙ୍କ ଟିମକୁ ବିରୋଧ କରୁଥିବା ଯୁବ ଗୋଷ୍ଠୀ । ଯେଉଁଥିରେ ରହିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ଚନ୍ଦ୍ର ସାରଥୀ ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ ଙ୍କ ସମେତ ବିଧାୟକ ସୁନିଲ ମହାନ୍ତି ଓ ଦେବୀ ରଞ୍ଜନ ତ୍ରିପାଠୀ ।
ତେବେ କଟକ ମେଳି କୁ ନେଇ ଦେବାଶିଷ କହିଛନ୍ତି ବର୍ତ୍ତମାନ ଦଳରେ ଯୁବପିଢି ନେତୃତ୍ୱ ନେବାର ଆବଶ୍ୟକତା ରହିଛି । ଆହୁରି କହିଛନ୍ତି ଦଳରେ ନୂଆ ଆସିଥିବା ଲୋକ ଦଳର ବିଚାରଧାରା ବୁଝିବା ଦରକାର। ହଠାତ ଦଳକୁ ଆସି ସର୍ବେସର୍ବା ଭାବିବା କଥା ନୁହଁ। ସେପଟେ କିଛି ଦିନ ତଳେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବାସଭବନରେ ମେଳି ବାନ୍ଧି ଟ୍ରେଲର ଦେଖାଇ ସାରିଛନ୍ତି ବରିଷ୍ଠ ନେତା ତଥା ବିଜୁ ଲିଗାସୀର ଆଉ ଏକ ଗୋଷ୍ଠୀ । ଯୁବ ଗୋଷ୍ଠୀର ଜଣେ ପୋଖତ ନେତାଙ୍କ ଉଦ୍ୟମରେ ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରିଥିଲେ ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ, ପଦ୍ମନାଭ ବେହେରା, ଭୂପିନ୍ଦର ସିଂ, ଅଶୋକ ପଣ୍ଡା ଙ୍କ ଭଳି ପ୍ରମୁଖ ନେତା।
ଆଉ ଏହି ବରିଷ୍ଠ ଗୋଷ୍ଠୀଙ୍କ ନିଶାନାରେ ବି ରହିଛନ୍ତି କବାଟକିଳା ସନ୍ୟାସୀଙ୍କ କୋଟେରୀ ଟିମ୍ । ସ୍ଥିତି ଏମିତି ହୋଇଥିଲା ଅସନ୍ତୁଷ୍ଟ ଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କୁ ମନାଇବାକୁ ଆସିଥିବା ସନ୍ୟାସୀଙ୍କ ଦୂତକୁ ହେବାକୁ ପଡିଥିଲା ହଟହଟା । ଦଳର ଏପରି ସ୍ଥିତି କୁ ନେଇ ଶୁଣନ୍ତୁ କଣ କହୁଛନ୍ତି କିଛି ବିଜେଡି ନେତା। ଅନ୍ୟପଟେ ବିଜେଡିର ଘାରେ ଚୂନ ମାରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଅଶୋକ କହିଛନ୍ତି ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଗଲାଣି । ସେମାନେ ବିଭିନ୍ନ ସ୍ଥାନରେ ମେଳି ବାନ୍ଧୁଛନ୍ତି । ବର୍ତ୍ତମାନ ଦଳର ନେତୃତ୍ୱ କିଏ ନେବ ତାଙ୍କର ବର୍ତ୍ତମାନ ବଡ଼ ପ୍ରସଙ୍ଗ ହୋଇଛି । ଚର୍ଚ୍ଚା ହେଉଛି କବାଟକିଳା ସନ୍ୟାସୀଙ୍କ କୋଟେରୀ ଗ୍ରୁପକୁ ବିଜୁ ଲିଗାସୀ ପରିବାରର ଜୋରଦାର ବିରୋଧ ଭିତରେ ସାଙ୍ଗଠନିକ ନିର୍ବାଚନ ଓ ପଦ ପଦବୀ ବଣ୍ଟନ ନବୀନଙ୍କ ବଡ ଚ୍ୟାଲେଞ୍ଜ ହୋଇପାରେ ।