୧୨ ବର୍ଷ ପରେ ରଣଜୀ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ବିରାଟ କୋହଲି
ଦୀର୍ଘ ୧୨ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କୁ ଦେଖିବା ପାଇଁ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ଭିଡ଼ ଜମିଛି। ଜାନୁଆରୀ ୩୦ରୁ ଏହି ଗ୍ରାଉଣ୍ଡରେ ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ବିରାଟ କୋହଲି ଦିଲ୍ଲୀ ପକ୍ଷରୁ ଖେଳୁଛନ୍ତି। ମ୍ୟାଚ ଆରମ୍ଭ ହେବା ପୂର୍ବରୁ, କୋହଲିଙ୍କ ଏକ ଝଲକ ପାଇବା ପାଇଁ ପ୍ରଶଂସକମାନେ ଷ୍ଟାଡିୟମ ବାହାରେ ପହଞ୍ଚି ଯାଇଥିଲେ। ଏହା ବ୍ୟତୀତ ଆର୍ସିବି-ଆର୍ସିବି ସ୍ଲୋଗାନ ମଧ୍ୟ ଦିଆଯାଇଥିଲା।
କୋହଲି ଗତ କିଛି ଦିନ ଧରି ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ ଦଳ ସହିତ ଅଭ୍ୟାସ କରୁଥିଲେ। ଏବେ ସେ ଆୟୁଷ ବାଡୋନିଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଦଳରେ ଖେଳିବାର ଦେଖାଯିବେ। ରଣଜୀ ଟ୍ରଫି ୨୦୨୪-୨୫ର ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଆଜିଠାରୁ ଆରମ୍ଭ ହେବ।
ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ମ୍ୟାଚ ପୂର୍ବରୁ, ପ୍ରଶଂସକମାନେ କିଙ୍ଗ କୋହଲିଙ୍କୁ ଦେଖିବା ପାଇଁ ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ପହଞ୍ଚି ସାରିଛନ୍ତି। ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବହୁ ସଂଖ୍ୟାରେ ପ୍ରଶଂସକ ଦେଖାଯାଉଛି। କିଙ୍ଗ କୋହଲିଙ୍କ ପ୍ରଶଂସକମାନେ ମଧ୍ୟ ଆର୍ସିବି-ଆର୍ସିବି ସ୍ଲୋଗାନ ଦେଉଛନ୍ତି।