ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଏଲୋପାଥି ଚିକିତ୍ସାକୁ ନେଇ ଦେଇଥିଲେ ବିବାଦୀୟ ବୟାନ
ନୂଆଦିଲ୍ଲୀ(ଆମ ଟିଭି): ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ନିଜର ଚିକିତ୍ସା ପଦ୍ଧତିକୁ ଭଲ କହି ଏଲୋପାଥିକ ଚିକିତ୍ସାକୁ ବଦନାମ କରିପାରିବେ ନାହିଁ । ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ତଥା ଯୋଗଗୁରୁ ବାବା ରାମଦେବଙ୍କୁ ଏପରି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନା । ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଏଥିସହ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ର ଏବଂ କେନ୍ଦ୍ର ସରକାରକୁ ସମନ କରି ଜବାବ ରଖିବାକୁ କହିଛନ୍ତି କୋର୍ଟ ।
ଏଲୋପାଥି ଚିକିତ୍ସାକୁ ବଦନାମ କରିବା ଭଳି ବିଜ୍ଞାପନ ଦେଉଥିଲା ପତଞ୍ଜଳି। ରାମଦେବ ମଧ୍ୟ ବିବୃତି ରଖି ଏଲୋପାଥି ଚିକିତ୍ସାକୁ ଚ୍ୟାଲେଞ୍ଜ କରୁଥିଲେ। କରୋନା ବେଳେ ଆଲୋପାଥି ଚିକିତ୍ସାକୁ ସମାଲୋଚନା କରିଥିଲେ ଯୋଗଗୁରୁ। ପ୍ରଧାନ ବିଚାରପତି କହିଛନ୍ତି, ବାବା ରାମଦେବ ନିଜ ଚିକିତ୍ସା ପଦ୍ଧତି ପାଇଁ ଲୋକପ୍ରିୟ। ଅନ୍ୟର ଚିକିତ୍ସା ପଦ୍ଧତିକୁ ସମାଲୋଚନା କରିପାରିବେ ନାହିଁ ରାମଦେବ। ଅନ୍ୟ ଚିକିତ୍ସା ପଦ୍ଧତିକୁ ବଦନାମ କରିବାରୁ ନିବୃତ ରହିବା ଦରକାର।