ନୂଆଦିଲ୍ଲୀ (ଆମ ଟିଭି): ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲା । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ ହାରିନଥିଲା ଟିମ୍ ଇଣ୍ଡିଆ । ଚାମ୍ପିଅନ୍ସ ଟ୍ରଫି ଟିମ୍ ଇଣ୍ଡିଆ ଜିତିବା ପରେ ଆଇସିସି ଟଙ୍କା ବର୍ଷା କରିଥିବା ବେଳେ ଏବେ ବିସିସିଆଇ ଟିମ୍ ଏବଂ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛି । ସମସ୍ତ ଖେଳାଳିଙ୍କ ସମେତ କୋଚିଂ ଷ୍ଟାଫ୍ , ସପୋର୍ଟ ଷ୍ଟାଫ ଓ ସିଲେକସନ କମିଟି ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି।
ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିବା ଟିମ୍କୁ ୫୮ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ରାଶି ଖେଳାଳି, କୋଚ୍, କୋଚିଂ ଷ୍ଟାଫ, ସିଲେକ୍ସନ କମିଟି ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯିବ ।
ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ କମାଲ୍ ପ୍ରଦର୍ଶନ କରିଥିଲା । ଟୁର୍ଣ୍ଣାମେଣ୍ଟରେ ଗୋଟେ ବି ମ୍ୟାଚ ହାରିନଥିଲା । ଫାଇନାଲ ସହିତ ମୋଟ ୫ଟି ମ୍ୟାଚ ଜିତିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଥିଲା । ଏହାପରେ ପାକିସ୍ତାନକୁ ମଧ୍ୟ ୬ ୱିକେଟରେ ହରାଇବା ପରେ ନ୍ୟୁଜିଲାଣ୍ଡ ୪୪ ରନରେ ହରାଇଥିଲା । ଗ୍ରୁପ ଷ୍ଟେଜରେ ସମସ୍ତ ମ୍ୟାଚ ଜିତିବା ପରେ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଥିଲା । ସେହିଭଳି ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଟିମ୍ ପକ୍ଷରୁ ଶ୍ରେୟସ ଆୟର ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ହୋଇଥିଲେ । ସେ ୫ଟି ମ୍ୟାଚରେ ୨୩୪ ରନ୍ କରିଥିଲେ । ସେହିପରି ବରୁଣ ଚକ୍ରବର୍ତ୍ତୀ ଏବଂ ମହମ୍ମଦ ଶାମି ୮-୮ ୱିକେଟ ନେଇଥିଲେ ।
ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି :
ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ : ୧୯.୪୮ କୋଟି
ଚାମ୍ପିଅନ୍ସ ଟ୍ରଫି ଉପବିଜେତା ଟିମ୍ : ୯.୭୪ କୋଟି
ସେମିଫାଇନାଲରୁ ବାଦ୍ ପଡିବା ଟିମ୍ : ୪.୮୭ କୋଟି
୫ମ ଏବଂ ୬ଷ୍ଠ ସ୍ଥାନରେ ଥିବା ଟିମ୍ : ୩.୦୪ କୋଟି
୭ମ ଏବଂ ୮ମ ସ୍ଥାନରେ ଥିବା ଟିମ୍ : ୧.୨୧ କୋଟି
ଗ୍ରୁପ ଷ୍ଟେଜରେ ପ୍ରତି ମ୍ୟାଚ ଜିତିଲେ : ୨୯.୫ ଲକ୍ଷ