ବାଲେଶ୍ୱର (ଆମ ଟିଭି): ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
ପରୀକ୍ଷଣ ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢେ ୨ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ ସ୍ଥାନାନ୍ତର ଓ ସୁରକ୍ଷା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପେକ୍ଷୀରେ ସ୍ଥାନାନ୍ତର ହେବେ ୬ ଗାଁର ୩୨୦୦ ବାସିନ୍ଦା।
ଜୟଦେବକସବା ପାହି ଓ ସାହାଜାନଗର ପାହି, ଭୀମପୁର ପାହି, ତୁଣ୍ଡରା ପାହି, ଖଡୁପାହି ଓ କୁସୁମୁଳୀ ଅଞ୍ଚଳର ମୋଟ ୩୨୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଡୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି। ସେମାନଙ୍କୁ ସେଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୧୦୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଛି।