ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ ଲାଗୁଥାଇପାରେ। ହେଲେ ଏହା ସତ। ଅର୍ଚ୍ଚନା ନାଗଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ। ଏନେଇ ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା(ନଂ. ୫୮/୨୫) ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗଙ୍କ ହନିଟ୍ରାପ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଏଥିରେ ବହୁ ବଡ଼ ବଡ଼ ନେତା ଓ ବ୍ୟକ୍ତି ସଂପୃକ୍ତ ଥିବା ଖବର ଆସିଥିଲା। ଯାହାପରେ ତାଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା। ସେ ଗିରଫ ହେବାର କିଛିଦିନ ପରେ ତାଙ୍କ ସ୍ବାମୀ ଗିରଫ ହୋଇଥିଲେ। ପ୍ରାୟ ଦେଢବର୍ଷ ପରେ ଦୁହେଁ ଜେଲରୁ ବାହାରିଥିଲେ। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
ଅର୍ଚ୍ଚନା ନାଗ ମାମଲା ଓଡ଼ିଶାରେ ଏକ ଚାଞ୍ଚଲ୍ୟକର ଘଟଣା ଭାବେ ଚହଳ ସୃଷ୍ଟି କରିଥିଲା। ଅର୍ଚ୍ଚନା ହନିଟ୍ରାପ, ବ୍ଲାକମେଲିଂ ଏବଂ ଅର୍ଥ ଆଦାୟ କରି ବହୁ ବଡ଼ ବଡ଼ ନେତାଙ୍କୁ ଫସାଇଥିଲେ। ଅର୍ଚ୍ଚନା, କାଳହାଣ୍ଡି ଜିଲାରେ ଏକ ଗରିବ ପରିବାରରୁ ଆସି ୨୦୧୫ ମସିହାରେ ଭୁବନେଶ୍ୱରକୁ ଆସିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ଏକ ବିଲାସପୂର୍ଣ୍ଣ ଜୀବନଶୈଳୀ ଆରମ୍ଭ କରିଥିଲେ, ଯାହା ମଧ୍ୟରେ ରହିଛି ଏକ ଆଲିଶାନ ଘର, ବିଳାସପୂର୍ଣ୍ଣ ଗାଡ଼ି, ଚାରୋଟି ମହଙ୍ଗା ବ୍ରିଡର କୁକୁର ଏବଂ ଏକ ଧଳା ଘୋଡ଼ା। ପୋଲିସ ଅନୁସାରେ, ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ, ଯାହାର ମୁଖ୍ୟ ଉତ୍ସ ଥିଲା ହନିଟ୍ରାପ ଓ ବ୍ଲାକମେଲିଂ।
୨୦୨୨ ଅକ୍ଟୋବରରେ ପ୍ରକାଶକୁ ଆସିଥିଲା ଯେତେବେଳେ ଶ୍ରଦ୍ଧାଞ୍ଜଳି ବେହେରା ନାମକ ଜଣେ ମହିଳା ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାପରେ ପରିଜା, ନୟାପାଲ୍ଲୀ ଥାନାରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିଥିଲେ, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ଅର୍ଚ୍ଚନା ତାଙ୍କୁ ଅଶ୍ଳୀଳ ଫଟୋ ଜରିଆରେ ବ୍ଲାକମେଲ କରି ୩ କୋଟି ଟଙ୍କା ଦାବି କରୁଛନ୍ତି।
ଏହା ପରେ ଅର୍ଚ୍ଚନାଙ୍କୁ ୨୦୨୨ ଅକ୍ଟୋବର ୬ରେ ଭୁବନେଶ୍ୱର କମିଶନରେଟ ପୋଲିସ ଗିରଫ କରିଥିଲା। ତାଙ୍କ ଘରୁ ମୋବାଇଲ, ଲାପଟପ, ପେନ ଡ୍ରାଇଭ ଓ କମ୍ପ୍ୟୁଟର ଜବତ କରାଯାଇଥିଲା, ଯେଉଁଥିରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଆଲୋଚନା ହୋଇଥିଲା। ପରେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଅର୍ଚ୍ଚନା ନାଗ ଓ ତାଙ୍କ ସହଯୋଗୀମାନେ ରାଜନେତା, ବ୍ୟବସାୟୀ ଓ ଅଧିକାରୀଙ୍କୁ ହନିଟ୍ରାପ ମାଧ୍ୟମରେ ଫସାଇ ଅଶ୍ଳୀଳ ଭିଡିଓ ଓ ଫଟୋ ରେକର୍ଡ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା। ସେମାନେ ଏହି ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଦାବି କରାଯାଇଛି। ଏହା ସହିତ, ଅର୍ଚ୍ଚନାଙ୍କ ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ (ବିଜେଡି) ନେତା ଓ ଅଧିକାରୀଙ୍କ ସହ ଫଟୋ ଭାଇରାଲ ହୋଇଥିଲା, ଯାହା ରାଜନୈତିକ ବିବାଦରେ ମୁଣ୍ଡ ଟେକିଥିଲା।