ଭୁବନେଶ୍ୱର (ଆମ ଟିଭି): ଗଭୀର ଅବପାତର ରୂପ ନେଲା ବାତ୍ୟା ମୋନ୍ଥା। ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ସକ୍ରିୟ ହୋଇ ଆହୁରି ଘନୀଭୂତ ହେବ ବାତ୍ୟା ‘ମୋନ୍ଥା’। ୨୮ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ବାତ୍ଯା ସ୍ଥଳଭାଗ ଛୁଇଁବା ସମ୍ଭାବନା । ଏହି ସମୟରେ ବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି. ରହିବ। ସର୍ବାଧିକ ୧୧୦ କି.ମି. ପବନର ବେଗ ରହିବା ଆଶଙ୍କା ରହିଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କି.ମି. ବେଗରେ ଗତି କରୁଛି ବାତ୍ୟା । ଏବେ ଗୋପାଳପୁର ଠାରୁ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆନ୍ଧ୍ରର କାକିନାଡ଼ାଠାରୁ ୮୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ଏହି ସମୟରେ ରାଜ୍ୟରେ ୨୮ ଓ ୨୯ ତାରିଖ ଦୁଇ ଦିନ ଅତି ଭୀଷଣ ବର୍ଷା ହେବ। ୨୮ ତାରିଖରେ ଅତି ଭୀଷଣ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ୨୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ଏବଂ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଅନ୍ୟପଟେ ୩ ଦିନ ପାଇଁ ପୁରୀ ସମୁଦ୍ରକୁ ଯିବାକୁ ବାରଣ ହୋଇଛି। ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆସୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ହୋଇଛି। ଆସନ୍ତା ୨୭, ୨୮ ଏବଂ ୨୯। ଏହି ୩ ଦିନ ଧରି ସମୁଦ୍ର ଭିତରକୁ ନା କୌଣସି ପର୍ଯ୍ୟଟକଙ୍କୁ ଛଡ଼ାଯିବ ନା କେହି ବାଲିକୁ ଯାଇପାରିବେ। ସମ୍ଭାବ୍ୟ ବାତ୍ୟାକୁ ଦେଖି ସତର୍କତା ସ୍ବରୂପ ଏହି ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ।