ବିଜେଡିରେ ପୁଣି ନେତାଙ୍କ ଭୋଜି, ବହୁ ବରିଷ୍ଠ ନେତୃବୃନ୍ଦ ସାମିଲ
ଭୁବନେଶ୍ବର (ଆମ ଟିଭି): ବିଜେଡିରେ ପୁଣି ଭୋଜି ପଲିଟିକ୍ସ । ପୂର୍ବରୁ ଚନ୍ଦକା ଉପକଣ୍ଠ ଝୁମୁକାରେ ବହୁ ନେତା ଏକାଠି ହୋଇଥିଲେ, ଆଜି ପୁରୁଣା ଭୁବନେଶ୍ୱରରେ ବି ଏକାଠି ହୋଇଥିଲେ ଅନେକ ବରିଷ୍ଠ ନେତା । ଭୋଜି ପରେ ଭୋଜି ନାଁରେ ଚାଲିଛି ରାଜନୀତି । ଏହା ପରେ ଆଉ ପାଣ୍ଡିଆନଙ୍କୁ ବିରୁଦ୍ଧରେ ଖୁଲମଖୁଲା ଦେଇଛନ୍ତି ମନ୍ତବ୍ୟ । ସୂଚନା ଯୋଗ୍ୟ; ବିଜେଡ଼ି ନେତା ଅଶୋକ ପଣ୍ଡା ଲିଙ୍ଗରାଜ ମନ୍ଦିରରେ ଏକ ପ୍ରସାଦ ସେବାର ଆୟୋଜନ କରିଥିଲେ । ଯେଉଁଥିରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳିଥିଲା । ପ୍ରଫୁଲ୍ଲ ଘଡ଼େଇ, ଶଶି ବେହେରା, ଦେବାଶିଷ ସାମନ୍ତରାୟ, ସମ୍ବିତ ରାଉତରାୟ, ରୁଦ୍ର ମହାରଥି, ଚନ୍ଦ୍ରସାରଥି ବେହେରା,ପ୍ରଣବ ବଳବନ୍ତରାୟ ଓ ରଘୁନାଥ ସାହୁ ପ୍ରମୁଖ ସାମିଲ ହେଲେ ପ୍ରମୁଖ ସାମିଲ ଥିଲେ ।
ଏହି ସମୟରେ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ କେଉଁ ସମୟରେ କଣ ସମୀକରଣ ହେବ କେହି କହିପାରିବେ ନାହିଁ । ରାଜନୀତିରେ ସମୀକରଣ ହେବା ସ୍ୱାଭାବିକ । ବିଜୁ ଜନତା ଦଳରେ ମଧ୍ୟ ସମୀକରଣ ଦରକାର । ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜେଡ଼ିରେ ପ୍ରବେଶ ନେଇ ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ସେ କହିଛନ୍ତି ତାଙ୍କର ଆସିବା ରାଜନୈତିକ ଦୃଷ୍ଟିରୁ ଭୁଲ ହେବ । ନବୀନ ବାବୁଙ୍କ ଉତ୍ତରାଧିକାରୀ ଓଡ଼ିଶାରୁ କେହି ହୋଇପାରିବେ । ଓଡ଼ିଶାବାସୀ ଯେଉଁ ନେତୃତ୍ବକୁ ବିଶ୍ୱାସ କରିବେ, ସିଏ ନେତା ହେବେ । ନବୀନ ବାବୁ ନେତା ହେବେ ବୋଲି କଣ ବିଜୁ ବାବୁ କହିଥିଲେ କି ? ନବୀନ ବାବୁ ଏବେ ବି ନେତା ଅଛନ୍ତି, ପରାଜୟ ପରେ ଲୋକେ ତାଙ୍କୁ ଝୁରୁଛନ୍ତି । ବିଜେଡି ସଜାଡ଼ି ହୋଇଗଲେ ରାଜ୍ୟରେ ସବୁଠାରୁ ଭଲ ବିକଳ୍ପ ହେବ ବୋଲି କହିଛନ୍ତି ଦେବାଶିଷ ।
ସେପଟେ ସମ୍ବିତ ରାଉତରାୟଙ୍କ ମନ୍ତବ୍ୟ ସଠିକ୍ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପାଣ୍ଡିଆନ ଆମ ନେତା ନୁହଁନ୍ତି, ଆମର କେବଳ ଜଣେ ନେତା ଅଛନ୍ତି , ସେ ହେଉଛନ୍ତି ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସବୁକିଛି ଠିକ୍ ଠାକ୍ ଚାଲିଛି । ଭୋଜି ଭାତକୁ ଗୋଷ୍ଠୀ କହିବା ଠିକ୍ ନୁହେଁ ବୋଲି କହିଛନ୍ତି ପ୍ରମିଳା । ଗତ କିଛି ଦିନ ତଳେ ବହୁ ବିଜେଡ଼ି ନେତା ଝୁମୁକାଠାରେ ଭୋଜି କରିଥିଲେ । ସମ୍ବିତ ରାଉତରାୟ, ରାଜେନ୍ଦ୍ର ସାହୁ, ଚନ୍ଦ୍ର ସାରଥୀ ବେହେରାଙ୍କ ସହିତ ଯୋଗ ଦେଇଥିଲେ ୬୦ରୁ ଅଧିକ ନେତା ।