ଓଡ଼ିଶାରେ କନ୍ୟା ଅସୁରକ୍ଷିତ, ସରକାର ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବିଜେଡି

0
ଭୁବନେଶ୍ବର (ଆମ ଟିଭି): ରାଜ୍ୟର ଉପରମୁହାଁ ମହିଳା ବିରୋଧୀ ହିଂସା ରୋକିବାକୁ ଅସମର୍ଥ ରାଜ୍ୟ ବିଜେପି ସରକାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଘୋଷଣା କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ କରିବା ସହ ରାଜ୍ୟର କନ୍ୟାମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ବିଜେଡି କହିଛି । ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଅବତାର ଗ୍ରୁପ୍ ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱମେନ୍ ଇନ୍ ଇଣ୍ଡିଆ’ରେ ଓଡିଶାର କୌଣସି ସହର ଶ୍ରେଷ୍ଠ ୨୫ ସହର ତାଲିକାରେ ସ୍ଥାନ ପାଇ ନାହିଁ । ୩୪ତମ ସ୍ଥାନରେ ଭୁବନେଶ୍ୱର ରହିଥିଲା ବେଳେ ରାଉରକେଲା ୪୨ତମ ସ୍ଥାନରେ ରହିଛି ।
 
ରାଜ୍ୟର ମହିଳାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଜୀବନଜୀବିକା ସର୍ବୋପରି ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ, ମହିଳା ବିରୋଧୀ ହିଂସା ଲାଗି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶା ନିନ୍ଦିତ ଓ ଅପମାନିତ ହୋଇଛି ।
 
୧୫ ମାସରେ ରାଜ୍ୟରେ ୪୦,୯୪୭ ମହିଳା ବିରୋଧୀ ହିଂସା ସଂଗଠିତ ହୋଇଥିଲା ବେଳେ ୪ ହଜାରରୁ ଉଦ୍ଧ୍ୱର୍ ଦୁଷ୍କର୍ମ ଘଟିଛି । ଏହି ପରିସଂଖ୍ୟାନ ଖୋଦ୍ ମୁଖ୍ୟମନ୍ତ୍ରୀ ଓଡିଶା ବିଧାନସଭାରେ ଲିଖିତ ଭାବେ ଉପସ୍ଥାପନ କରିଛନ୍ତି । ଏହି ପରିସଂଖ୍ୟାନ ଓ ରିପୋର୍ଟରୁ ସ୍ପଷ୍ଟ ବାରି ହେଉଛି ଓଡିଶାରେ ନାରୀ ସୁରକ୍ଷିତ ନୁହଁନ୍ତି । ଲୋକଦେଖାଣିଆ ଭାବେ ସରକାର ମହିଳାଙ୍କ ପାଇଁ ଯୋଜନା କରିବା ପରିବର୍ତ୍ତେ ମହିଳା ସୁରକ୍ଷା, ନିରାପତ୍ତା, ବିକାଶ ଓ ସଶକ୍ତିକରଣ ନିମନ୍ତେ ଆନ୍ତରିକତାର ସହ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି ବିଜେଡି ଦାବି କରିଛି ।
Leave A Reply

Your email address will not be published.