୯୮ତମ ଏକାଡେମୀ ଆୱାର୍ଡସର ତିନୋଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଓଡ଼ିଆ ପ୍ରଯୋଜକ, ଅକ୍ଷୟ କୁମାର ପରିଜାଙ୍କ ଚଳଚ୍ଚିତ୍ର ‘ପାପା ବୁକା’
ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ର ତିନୋଟି ବିଭାଗରେ ସ୍ଥାନ ପାଇ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏକ ଗୌରବମୟ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ ଏବଂ ଶ୍ରେଷ୍ଠ ଅଭିନେତା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଯାହା ଓଡ଼ିଆ ତଥା ଭାରତୀୟ ସ୍ୱାଧୀନତା ସିନେମା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ବିଜେତା ଅକ୍ଷୟ କୁମାର ପରିଜା ଓ ପିଏ ରଞ୍ଜିତ ଏବଂ ପ୍ରକାଶ ବେରେଙ୍କ ସହଯୋଗରେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଡକ୍ଟର ବିଜୁ, ଯିଏ ନିଜର ମୌଳିକ ଏବଂ ଜନକୈନ୍ଦ୍ରିକ କାହାଣୀ ପାଇଁ ଲୋକପ୍ରିୟ ।
‘ପାପା ବୁକା’ ହେଉଛି ଏକ ବିରଳ ଭାରତ-ପପୁଆ ନ୍ୟୁ ଗୁନିଆ ସହ-ପ୍ରଯୋଜିତ ଚଳଚ୍ଚିତ୍ର । ପପୁଆ ନ୍ୟୁ ଗୁନିଆର ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପରିଚୟ, ସ୍ମୃତି ଏବଂ ମାନବୀୟ ଶକ୍ତିକୁ ଉଦଜବୀତ କରିବା ସହ ପପୁଆ ନ୍ୟୁ ଗୁନିଆର ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିଛି।
ଅନେକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ସହ ଏହା ନିଜର ସଚ୍ଚୋଟ କାହାଣୀ ପାଇଁ ବେଶ୍ ପ୍ରଶଂସା ସାଉଁଟିଛି। ଓସ୍କାରର ଏକାଧିକ ବିଭାଗରେ ଏହାର ଚୟନ ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ବିଶ୍ୱ ଦରବାରରେ ଭାରତୀୟ ସିନେମାର ବଢୁଥିବା ପ୍ରଭାବକୁ ଦର୍ଶାଉଛି। ଏହି ସଫଳତାକୁ ବିଶ୍ୱ ସ୍ତରରେ ଓଡ଼ିଆ ସିନେମାର ଏକ ଐତିହାସିକ ବିଜୟ ଭାବେ ପାଳନ କରାଯାଉଛି।