ପାଣାଜୀ (ଆମ ଟିଭି): ସାରା ଦେଶରେ କଂଗ୍ରେସ ଏବେ ତଳିତଳାନ୍ତ ହେବାକୁ ବସିଛି । ଭାରତର ପ୍ରଥମ ଜାତୀୟ ରାଜନୈତିକ ଦଳ ଏବେ ତାର ଅସ୍ତିତ୍ୱ ଖୋଜିବା ପାଇଁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଏହାରି ଭିତରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ଗୋଆ କଂଗ୍ରେସରେ ପୁଣି ବଢ଼ିଲା ଅଡୁଆ। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତି ନେଇଛନ୍ତି।
କଂଗ୍ରେସ ବିଧାୟକ ଦିଗମ୍ବର କାମତ, ମାଇକେଲ ଲୋବୋ, ଦେଲିଲା ଲୋବେ, ରାଜେଶ ଫଲଦେସାଇ, କେନାର ନାଏକ, ସକଳ୍ପ ଅମୋନକର, ଅଲେକ୍ସୋ ସିକେରା ଓ ରୁଡୋଲ୍ଡ ଫର୍ଣ୍ଣାଣ୍ଡିଜ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ସମସ୍ତ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟି ବିଧିବଦ୍ଧ ଭାବେ ଗେରୁଆ ଦଳରେ ମିଶିଛନ୍ତି।ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ। ଇତି ମଧ୍ୟରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଦେଖାଯାଉ ଆଗାମୀ ଦିନରେ ସାରା ଦେଶରେ କଂଗ୍ରେସ ପୁଣି ଉପରକୁ ଉଠିବା ନା ପୁଣି ତଳିତଳାନ୍ତ ହୋଇଯିବ ।