ଭୁଶୁଡି ପଡିଲା ଅର୍ଦ୍ଧ ନିର୍ମିତ ତିନି ମହଲା ବିଲ୍ଡିଂ, ୨ ମୃତ : ଭଗ୍ନାବଶେଷ ତଳେ ଫସିଛନ୍ତି ଅନେକ

0

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଅଘଟଣ । ଚାନ୍ଦନୀ ଚୌକ ଅଞ୍ଚଳରେ ଥିବା ଚାଓ୍ୱଡୀ ବଜାରରେ ଏକ ଅର୍ଧନିର୍ମିତ ତିନି ମହଲା ବିଲ୍ଡିଂ ଭୁଶୁଡି ପଡିଛି । ମେଟ୍ରୋ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । କୋଠାର ଏକ ବଡ ଅଂଶ ଭୁଶୁଡି ପଡିବାରୁ ଆତଙ୍କ ଖେଳିଯାଇଛି । ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହାସହ ଦୁଇ ଜଣ ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ସେମାନଙ୍କୁ ଏକ ନିର୍ମାଣାଧିନ କୋଠାର ଏକ ବଡ ଅଂଶ ଭୁଶୁଡି ପଡିଥିବା ନେଇ ଖବର ମିଳିଥିଲା । ଏହାପରେ ୬ଟି ଟିମକୁ ସେଠାକୁ ପଠାଯାଇଥିଲା । ଏନଡିଆରଏଫ୍ ଟିମ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ପୋଷ୍ଟ୍ କରିଛନ୍ତି । ସେ କହିଛନ୍ତି ଯେ, ଚାଓ୍ୱଡୀ ବଜାରରେ ଆଉ ଏକ ତିନି ମହଲା କୋଠା ଭୁଶୁଡି ପଡିଛି । ଏହା ତଳେ ଅନେକ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି । ଅନେକ ଥର ବିଲ୍ଡିଂର ସୁରକ୍ଷା ମାନ ଯାଞ୍ଚ୍ କରାଯାଇଛି । ତଥାପି ଏପରି ଘଟଣା ଘଟୁଛି । କାରଣ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଲାଞ୍ଚ କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ଏହାସହ ସେ ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ଏମସିଡି ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଛନ୍ତି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହେବା ପରେ ଏପରି ଘଟଣା ଅଧିକ ଘଟୁଥିବା କହି ସେ ବିଜେପି ସରକାରକୁ କାଉଣ୍ଟର କରିଛନ୍ତି ।

Leave A Reply

Your email address will not be published.