ଭୁବନେଶ୍ବର (ଆମ ଟିଭି): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ନାରାବାଜିରେ ଚାଲିପାରୁନି ଗୃହ । ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିବା ସହ ଗୃହରେ ଧାନ ରଖି ହୋହଲ୍ଲା କରିଥିଲେ । ହୋହଲ୍ଲା ଓ ହଙ୍ଗାମା ଫଳରେ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ସୁରମା ପାଢୀ ଗୃହ ମୁଲତବି ଘୋଷଣା କରିଛନ୍ତି ।
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା, ଚାଷୀ ପ୍ରସଙ୍ଗକୁ ନେଇ ଗର୍ଜିଲେ ବିରୋଧୀ । ପୂର୍ବରୁ ମୁଣ୍ଡରେ ଧାନ ମୁଣ୍ଡାଇ ରଞ୍ଜନ ବିଶ୍ଵାଳ ଗୃହକୁ ଆସିଥିଲେ ଏବଂ ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ପ୍ରତିବାଦ ଜଣାଇଥିଲେ । ଫଳରେ ବାଚସ୍ପତି ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ । ତେବେ ଗୃହ ପୁଣି ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା ।
କହିରଖୁଛୁ ଯେ, ଆଜି ଏବଂ ଆସନ୍ତାକାଲି ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କ ବଜେଟ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ରହିଛି ।