ସୁସ୍ଥ ଓ ସୁଦୃଢ ଶରୀର ପାଇଁ ମଜଭୁତ ହାଡ ଅତ୍ୟନ୍ତ ଆବଶ୍ୟକ । ହାଡ ଦୁର୍ବଳ ହେଲେ ଆଣ୍ଠୁ ଗଣ୍ଠି ଦରଜ, ଚଳାଚଳରେ ଅସୁବିଧା ଓ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ପୂର୍ବରୁ ଏହି ସମସ୍ୟା ବୟସ୍କ ଲୋକଙ୍କ ପାଖରେ ଅଧିକ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଭୁଲ୍ ଖାଦ୍ୟ ଅଭ୍ୟାସ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ଅଳ୍ପ ବୟସରେ ମଧ୍ୟ ହାଡ ଦୁର୍ବଳ ହେବାର ଘଟଣା ବଢ଼ୁଛି ।ହାଡକୁ ମଜଭୁତ ରଖିବା ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍–ଡି ବହୁତ ଜରୁରୀ । ଯଦି ଶରୀରରେ ଏହି ଦୁଇ ପୋଷକ ତତ୍ତ୍ୱର ଅଭାବ ହୁଏ, ତେବେ ହାଡ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ବଢ଼ିଯାଏ । କିନ୍ତୁ ଦୈନନ୍ଦିନ ଜୀବନରେ ଆମେ ଅଜାଣତରେ କିଛି ଏମିତି ଖାଦ୍ୟ ଓ ପାନୀୟ ଗ୍ରହଣ କରୁଛୁ ଯାହା ହାଡର ସ୍ୱାସ୍ଥ୍ୟକୁ କ୍ଷତି କରୁଥାଏ ।
୧. ଅଧିକ ଲୁଣ
ଲୁଣ ଖାଦ୍ୟର ସ୍ବାଦ ବଢ଼ାଇଥାଏ । କିନ୍ତୁ ଅଧିକ ଲୁଣ ଖାଇବା ଶରୀର ପାଇଁ କ୍ଷତିକାରକ । ଲୁଣରେ ସୋଡିୟମ୍ ଅଧିକ ଥାଏ । ଏହି ସୋଡିୟମ୍ ଶରୀରରୁ ବାହାରୁଥିବା ବେଳେ କ୍ୟାଲସିୟମ୍କୁ ମଧ୍ୟ ୟୁରିନ୍ ମାଧ୍ୟମରେ ବାହାର କରିଦେଏ । ଫଳରେ ଶରୀରରେ କ୍ୟାଲସିୟମ୍ କମିଯାଏ ଓ ହାଡ ଦୁର୍ବଳ ହୋଇପଡ଼େ ।
୨. ଅଧିକ ଚକଲେଟ୍
ଚକଲେଟ୍ ଛୋଟ ବଡ଼ ସମସ୍ତଙ୍କର ପ୍ରିୟ । ଏହା ମୁଡ୍କୁ ଭଲ କରିଥାଏ ଓ ମୁହଁର ସ୍ବାଦ ବଢ଼ାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଓ ଅକ୍ସୋଲେଟ୍ର ମାତ୍ରା ବଢ଼ିଯାଏ । ଏହା ଶରୀରରେ କ୍ୟାଲସିୟମ୍ର ଶୋଷଣକୁ ବାଧା ଦେଇଥାଏ ଏବଂ ହାଡ ଦୁର୍ବଳ ହେବାର କାରଣ ହୁଏ ।
୩. କୋଲ୍ଡ ଡ୍ରିଙ୍କ୍ସ
ଖରା ଦିନରେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଅନେକେ ପସନ୍ଦ କରନ୍ତି । କିନ୍ତୁ ଏଥିରେ କାର୍ବନ୍ ଡାଇଅକ୍ସାଇଡ୍ ଓ ଫସଫରସ୍ ଥାଏ । ଏହି ଉପାଦାନଗୁଡିକ ଶରୀରରେ କ୍ୟାଲସିୟମ୍ର ସନ୍ତୁଳନକୁ ବିଗାଡ଼ି ଦେଇ ହାଡକୁ ଦୁର୍ବଳ କରିପାରେ ।
୪. ଚା ଓ କଫି
ବହୁତ ଲୋକ ଦିନର ଆରମ୍ଭ ଚା କିମ୍ବା କଫିରୁ କରନ୍ତି । କିନ୍ତୁ ଏହାରେ ଥିବା କଫିନ୍ ଅଧିକ ପରିମାଣରେ ଶରୀରକୁ ଗଲେ କ୍ୟାଲସିୟମ୍ର ହ୍ରାସ ହୁଏ । ଦୀର୍ଘ ସମୟ ଧରି ଅଧିକ ଚା କିମ୍ବା କଫି ପିଇଲେ ହାଡ ଦୁର୍ବଳ ହେବାର ସମ୍ଭାବନା ବଢ଼ିଯାଏ ।
କଣ କରିବେ?
ହାଡକୁ ମଜଭୁତ ରଖିବା ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍–ଡି ଥିବା ଖାଦ୍ୟ ଯଥା ଦୁଧ, ଦହି, ଡିମ୍, ଶାଗସବୁଜ ଓ ଡାଲି ଆଦି ଖାଇବା ଉଚିତ । ସେଥିସହିତ ନିୟମିତ ସୂର୍ଯ୍ୟଆଲୋକରେ କିଛି ସମୟ ବସିବା ଓ ବ୍ୟାୟାମ କରିବା ମଧ୍ୟ ହାଡ ପାଇଁ ଉପକାରୀ ।