ଏପ୍ରିଲ୍ ୩ରେ ମୁକ୍ତିଲାଭ କରିବ ଭିନ୍ନ ସ୍ୱାଦର ପାରିବାରିକ ଚଳଚ୍ଚିତ୍ର ‘ଆଫା – (ଲାଇଫ୍ ଆଫ୍ଟର୍ ଲାଇଫ୍)’
ଭୁବନେଶ୍ବର (ଆମ ଟିଭି): ଏକ ସାଧାରଣ ପରିବାରର ଅସାଧାରଣ କାହାଣୀକୁ ନେଇ ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଆଫା – ଲାଇଫ୍ ଆଫ୍ଟର୍ ଲାଇଫ୍ । ଆସନ୍ତା ଏପ୍ରିଲ୍ ୩ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ସମସ୍ତ ପ୍ରସ୍ତୁତ ସରିଛି। ବାପା, ମା’, ଜେଜେବାପା ଓ ଝିଅକୁ ନେଇ ଗଢ଼ା ଏହି ପରିବାରର କାହାଣୀକୁ ଦେଖିଲେ ପ୍ରତ୍ୟେକ ଦର୍ଶକଙ୍କୁ ଏହା ନିଜର କାହାଣୀ ବୋଲି ମନେ ହେବ। ଜୀବନର ଏକ ଅପ୍ରତ୍ୟାଶିତ ମୋଡ଼ ଏବଂ ସମୟର ଚକ୍ରାନ୍ତକୁ ଏଥିରେ ନିଖୁଣ ଭାବେ ଚିତ୍ରଣ କରାଯାଇଛି, ଯେଉଁଥିରେ ନିଆଯାଇଥିବା ଗୋଟିଏ ନିଷ୍ପତ୍ତି ଶେଷକୁ ମଧ୍ୟ ଏକ ନୂଆ ଆରମ୍ଭରେ ପରିଣତ କରିବାର କ୍ଷମତା ରଖେ।
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସୁନାମଧନ୍ୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ସୁକନ୍ୟା ଅନମୋଲ ପତି ନିଜର ଅଭିନୟ ଯାତ୍ରା ଆରମ୍ଭ କରୁଛନ୍ତି, ଯାହା ସିନେମା ଜଗତ ପାଇଁ ଏକ ବଡ଼ ଖବର । ଅନ୍ୟାନ୍ୟ ମୁଖ୍ୟ ଅଭିନୟ କରିଛନ୍ତି କୁନା ତ୍ରିପାଠୀ, ପ୍ରୀତିରାଜ ଶତପଥୀ, ନୈନା ଦାଶ, ହର ରଥ, ସିଦ୍ଧାର୍ଥ ତିୱାରୀ ଏବଂ ଶିଶୁ କଳାକାର ମିଭାନ୍ ସିଦ୍ଧାର୍ଥ ତିୱାରୀଙ୍କ ସମେତ ବହୁ ନାମୀ କଳାକାର।
ପ୍ରୀତିରାଜ ଶତପାଥୀ ଓ ନୈନା ଦାଶ ତିୱାରୀଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ପ୍ରୀତିରାଜ ଶତପଥୀଙ୍କ ନିର୍ଦ୍ଦେଶନାରେ ସହ-ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ କୁମାର ବାରିକ ଓ କ୍ରିଷ୍ଣା।
ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବଂ ଗୀତିକାର ବାପୁ ଗୋସ୍ୱାମୀ ଓ ଦିବ୍ୟ କୁମାର ସାହୁଙ୍କ ମିଳିତ ପ୍ରୟାସରେ ପ୍ରସ୍ତୁତ ଗୀତଗୁଡ଼ିକୁ ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ଶଶାଙ୍କ ଶେଖର ପ୍ରମୁଖ କଣ୍ଠଦାନ କରିଛନ୍ତି।ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ପ୍ରଣୟ ଜେଠୀ।
ଦର୍ଶକଙ୍କ ସହ ଯୋଡ଼ି ହେବା ପାଇଁ ଟିମ୍ ପକ୍ଷରୁ ଏକ ଅଭିନବ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି: “ଆଜି ଯଦି ଆପଣ ନିଜ ପରିବାର ବା ପ୍ରିୟଜନଙ୍କୁ ଗୋଟେ ଶେଷ ଇଚ୍ଛା କହିପାରନ୍ତି, ସେହି ଇଚ୍ଛାଟା କ’ଣ ହେବ?” ଦର୍ଶକମାନେ ନିଜର ଉତ୍ତରକୁ ଏକ ଛୋଟ ଭିଡିଓ କିମ୍ବା ଲେଖା ମାଧ୍ୟମରେ Instagram ରେ @aafaa_._ କୁ ଟ୍ୟାଗ୍ କରି ଏବଂ #AAFAA ଓ #LifeAfterLife ହ୍ୟାସଟ୍ୟାଗ୍ ସହିତ ପୋଷ୍ଟ କରିପାରିବେ। ଚୟନିତ ଶ୍ରେଷ୍ଠ କାହାଣୀଗୁଡ଼ିକୁ ମିଳିବ ‘AAFAA ଟିମ୍’ ସହିତ ଭେଟିବାର ସୁଯୋଗ ଏବଂ ୨ଟି ମାଗଣା ମୁଭି ଟିକେଟ୍!
ବିଶ୍ୱଜିତ୍ କୁଲଡିଙ୍କ ଚିତ୍ତାକର୍ଷକ ସିନେମାଟୋଗ୍ରାଫି ଦର୍ଶକଙ୍କୁ ବାନ୍ଧି ରଖିବ ତେଣୁ ଆସନ୍ତା ଏପ୍ରିଲ୍ ୩ ରେ ଆପଣଙ୍କ ନିକଟସ୍ଥ ଥିଏଟରରେ ଏହି ହୃଦୟସ୍ପର୍ଶୀ ସିନେମାକୁ ଦେଖିବାକୁ ଭୁଲନ୍ତୁ ନାହିଁ!