ନୂଆଦିଲ୍ଲୀ (ଆମ ଟିଭି): ୮ ବର୍ଷର କେନ୍ଦ୍ର ସରକାରଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି ଦିଗବିଜୟ ସିଂ । ସେ କହିଛନ୍ତି, କେନ୍ଦ୍ରରେ ମୋଦି ସରକାରଙ୍କ କାଳରେ ଦେଶରେ ୧୦୦ ପରିବାରଙ୍କ ଆମଦାନୀ ଚାରିଗୁଣା ହୋଇଛି। ସେପଟେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦାରିଦ୍ର୍ୟ ସୀମାରେଖାରେ ତଳକୁ (ବିପିଏଲ) ଖସି ଚାଲିଛନ୍ତି। ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଶନିବାର ଗ୍ୱାଲିୟରରେ ଏହା କହିଛନ୍ତି। ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତିଯେ କେନ୍ଦ୍ର ମୋଦି ସରକାର ଉଦ୍ୟୋଗପତିଙ୍କୁ ଶୁଳ୍କ ରିହାତି ଦେଇ ଗରିବ ଗୁରୁବାଙ୍କ କାନ୍ଧରେ ଦେଶର ଶୁଳ୍କ ବୋଝ ଲଦି ଦେଇଛନ୍ତି।
ଏହାସହ ସିଂହ କହିଛନ୍ତି ଯେ, ଭାରତୀୟ ସମ୍ବିଧାନରେ ସବୁ ଲୋକଙ୍କୁ ସେମାନଙ୍କ ଧର୍ମର ପାଳନ ଲାଗି ଅଧିକାର ଦିଆଯାଇଛି, ତେବେ ଏବେ କିଛି ଲୋକଙ୍କୁ ଛାଣିଛାଣି ସେମାନଙ୍କ ଉପରେ ମୋକଦ୍ଦମା ରୁଜୁ କରାଯାଉଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ଦିନଠୁ ଦେଶରେ ହାତଗଣତି ଲୋକଙ୍କ ଲାଗି ଆଇନ ତିଆରି ହେଉଛି। ଫଳରେ ଦେଶରେ ମୂଲ୍ୟବୃଦ୍ଧି ବଢି ଚାଲିଥିବା ବେଳେ ଫିକ୍ସ ଆମଦାନୀ ଥିବା ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ସେ କହିଛନ୍ତି ଯେ ପୂର୍ବରୁ ସାଧାରଣ ବର୍ଗଙ୍କଠାରୁ ଅସୁଲ ହେଉଥିବା ଇନଡାଇରେକ୍ଟ ଟ୍ୟାକ୍ସ ରେଭିନ୍ୟୁ କମ୍ ହେଉଥିଲା, ଅପରପଟେ ଉଦ୍ୟୋଗପତିଙ୍କଠାରୁ ଆଦାୟ ହେଉଥିବା ଡାଇରେକ୍ଟ ଟ୍ୟାକ୍ସ ରେଭିନ୍ୟୁ ଅଧିକ ହେଉଥିଲା। ତେବେ ମୋଦି ସରକାରଙ୍କ ଅର୍ଥନୀତିରେ ପୁଞ୍ଜିପତିଙ୍କୁ କମ୍ ଶୁଳ୍କ ଲାଗୁଥିବା ବେଳେ ସାଧାରଣ ବର୍ଗଙ୍କ ଉପରେ ଅଧିକ ଶୁଳ୍କ ଲାଗୁ ହେଉଛି। ପୁଞ୍ଜିପତିଙ୍କୁ ଦେଶରେ ୨୨ ପ୍ରତିଶତ ଶୁଳ୍କ ପଡୁଥିବା ବେଳେ ସାଧାରଣ ଜନତାଙ୍କୁ ୩୦ ପ୍ରତିଶତ ଶୁଳ୍କ ଦେବାକୁ ପଡୁଛି ବୋଲି ଦିଗବିଜୟ ସିଂହ କହିଛନ୍ତି।