ଗତକାଲି ପର୍ଯ୍ୟନ୍ତ ଯିଏ ଘରେ ଘରେ ବୁଲି ବାସନ ମଜାମଜି ଏବଂ ପୋଛାପୋଛି କରୁଥିଲେ, ସେଇ ମହିଳା ଆଜି ଲୋକଙ୍କ ଭୋଟରେ ବିଧାୟକ ହୋଇଛନ୍ତି। ପଶ୍ଚିମବଙ୍ଗର ଆଉସଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ କଲିତା ମାଝି ଏବେ ନବନିର୍ବାଚିତ ବିଧାୟକ।ଦୀର୍ଘ ୨୦ ବର୍ଷ ଧରି ଘରୋଇ କାମ କରି ପରିବାର ଚାଲାଉଥିବା କଲିତା ମାଝି ମାସକୁ ମାତ୍ର ୨୫୦୦ ଟଙ୍କା ଆୟ କରୁଥିଲେ। ସାମାନ୍ୟ ଆୟ ଥିଲେ ମଧ୍ୟ ତାଙ୍କର ଆତ୍ମବିଶ୍ୱାସ କେବେ କମିନଥିଲା।
ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବାବେଳେ, ସେ ଆଉସଗ୍ରାମ ଆସନରୁ ଟିଏମସି ପ୍ରାର୍ଥୀ ଶ୍ୟାମା ପ୍ରସନ୍ନ ଲୋହରଙ୍କୁ ୧୨,୫୩୫ ଭୋଟରେ ପରାସ୍ତ କରିଛନ୍ତି। କଲିତା ମୋଟ ୧,୦୭,୬୯୨ ଭୋଟ ପାଇ ଏହି ଐତିହାସିକ ବିଜୟ ହାସଲ କରିଛନ୍ତି।ସାଂସଦ ପିସି ମୋହନ କଲିତାଙ୍କ ନମ୍ରତା ଏବଂ ବିଜେପିର ଖୁବ ପ୍ରଶଂସା କରି ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫୋଷ୍ଟ ସେୟାର କରିଛନ୍ତି ।
କଲିତାଙ୍କୁ ଏହି ବିଜୟ ହଠାତ ମିଳି ନାହିଁ । ସେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ରାଜନୀତିରେ ଅଛନ୍ତି । ରାଜନୀତିର ଏହି ଯାତ୍ରା ପ୍ରଥମେ ସେ ବୁଥ ସ୍ତରରୁ ଆରମ୍ଭ କରିଥିଲେ ଏବଂ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ମଧ୍ୟ କରିଥିଲେ । ବିଜେପି ତାଙ୍କ ଉପରେ ୨୦୨୧ରେ ମଧ୍ୟ ଆସ୍ଥା ପ୍ରକଟ କରିଥିଲା । ସେତେବେଳେ ତାଙ୍କୁ ମାତ୍ର ୪୧ପ୍ରତିଶତ ଭୋଟ ମିଳିଥିଲା ଏବଂ ୧୨ ଭୋଟରେ ହାରି ଯାଇଥିଲେ । ପରାଜୟ ସତ୍ତ୍ୱେ ମଧ୍ୟ ସେ ମଇଦାନ ଛାଡି ପଳାଇଯାଇ ନଥିଲେ ଏବଂ ସଂଘର୍ଷ ଜାରି ରଖିଥିଲେ ଯାହାର ପରିଣାମ ସେ ଆଜି ପାଇଛନ୍ତି ।