ସଂସ୍କୃତି, ପରମ୍ପରା ଓ କାରିଗରୀର ଅନନ୍ୟ ମିଶ୍ରଣ ‘ମେହେରମୁଣ୍ଡା’

0

ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’ । ବୁଣାକାରଙ୍କ ଜୀବନ ସଂଘର୍ଷ, ସୂକ୍ଷ୍ମ କାରିଗରୀ ଓ ସଫଳତାର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମର ପ୍ରିମିୟର ଭୁବନେଶ୍ୱରର କେଶରୀ ହଲରେ ଅନୁଷ୍ଠିତ ହୋଇଥିଲା । ରିଲିଜ ପୂର୍ବରୁ ବୁଣାକାରମାନେ ଏହି ଫିଲ୍ମ ଦେଖିଥିବା ବେଳେ ପରଦାରେ ନିଜ ଜୀବନ ସଂଘର୍ଷର କାହାଣୀ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ।

ପ୍ରିମିୟର ଅବସରରେ ତନ୍ତ ଅରଟ ସହ ବାନ୍ଧ ଶାଢ଼ୀର କଳାକୃତି ପ୍ରଦର୍ଶିତ ହୋଇଥିଲା । ଏଥିରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ହସ୍ତକଳାର ଗରିମାମୟ ଝଲକ ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ହଲ୍ ହାଉସଫୁଲ ରହିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିବା ପ୍ରକାଶ ପାଇଛି ।

ଏହି ସିନେମାକୁ ଦର୍ଶକଙ୍କ ସହ ହସ୍ତତନ୍ତ ଓ ବୟାନ ଶିଳ୍ପ ବିଭାଗର ଯୁଗ୍ମ ସଚିବଙ୍କ ସହ ବହୁ ଅଧିକାରୀ ମଧ୍ୟ ଦେଖିଥିଲେ ।ବୁଣାକାରଙ୍କ ଜୀବନ ଯୁଦ୍ଧର ଏହି ମୌଳିକ କାହାଣୀ ସରକାରଙ୍କୁ ମଧ୍ୟ ଅନୁପ୍ରାଣିତ କରିବ ବୋଲି କହିଛନ୍ତି ଅଭିନେତା ଜ୍ୟୋତି ।
ଜ୍ୟୋତି କହିଛନ୍ତି, “ଓଡ଼ିଶା ହସ୍ତକଳାର ଦ୍ୱିତୀୟ ରାଜ୍ୟ । ଏହି ଫିଲ୍ମ କେବଳ କଳାର ପରିଚୟ ନୁହେଁ, ବରଂ ବୁଣାକାରଙ୍କ ଉଚିତ ପାରିଶ୍ରମିକ ଓ ସେମାନଙ୍କ ସଂଘର୍ଷର କଥା କହୁଛି । ଗୋଟିଏ ସୂକ୍ଷ୍ମ କାରିଗରୀ ପଛରେ କେତେ ପରିଶ୍ରମ ରହିଛି, ସେଥିକୁ ଆମେ ଫିଲ୍ମ ମାଧ୍ୟମରେ ଦେଖାଇଛୁ ।”

‘ମେହେରମୁଣ୍ଡା’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଜ୍ୟୋତି ଓ ତାଙ୍କ ବିପକ୍ଷରେ ଅଛନ୍ତି ଅର୍ଲିନ ଅଙ୍କିତା । ଜ୍ୟୋତି ରଞ୍ଜନ ନାୟକଙ୍କୁ ଏଥିରେ ଏକ ଭିନ୍ନ ଧରଣର ବୁଣାକାର ଚରିତ୍ରରେ ଦେଖିବାକୁ ମିଳିଛି । ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ରାକେଶ କୁମାର ପାଢ଼ୀ ଓ ସୁଶାନ୍ତ ଦାସ ମହାପାତ୍ର ।ଜିଆର ରେକର୍ଡସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ରାକେଶ କୁମାର ପାଢ଼ୀ । ନିର୍ଦ୍ଦେଶନାରେ ଅଛନ୍ତି ନିକୁଞ୍ଜ ହୋତା ଓ ସିନେମାଟୋଗ୍ରାଫି କରିଛନ୍ତି ଶ୍ରୀକାନ୍ତ ପଟ୍ଟନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଯୁବରାଜ ।

ବୁଣାକାରଙ୍କ ପରିଚୟ, ସଂଘର୍ଷ ଓ ସମ୍ମାନକୁ ଆଧାର କରି ନିର୍ମିତ ‘ମେହେରମୁଣ୍ଡା’ ଦର୍ଶକଙ୍କ ଭଲପାଇବା ଜିତିବା ସହ ସମାଜରେ ସକାରାତ୍ମକ ସନ୍ଦେଶ ପହଞ୍ଚାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.