ଭୁବନେଶ୍ୱର : ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବିନ । ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।
ରାଷ୍ଟ୍ରୀୟ ସଭାପତି ଆସନ୍ତାକାଲି ରାତି ୧୦ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ନୂତନ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିମାନବନ୍ଦରରେ ତାଙ୍କୁ ଏକ ବଡ଼ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ୧୮ ତାରିଖରେ ଶ୍ରୀ ନବିନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ରହିଛି ।
ଜଟଣୀଠାରେ ଆୟୋଜିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ସେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ଏହା ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବେ । ପୁରୀରୁ ଫେରିବା ପରେ ଭୁବନେଶ୍ୱରଠାରେ ବିଜେପି କୋର୍ କମିଟି, ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ଦଳର ମନ୍ତ୍ରୀମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିବେ।