ଭୁବନେଶ୍ୱରରେ ମଟନ୍ କିଲୋ ପ୍ରତି ୫୦ ଟଙ୍କା ବୃଦ୍ଧି, ତଥାପି ହେଲା ପ୍ରାୟ ୪ କୋଟିର ବେପାର

0

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଜାରି ରହିଥିବା ତେଲ ସମସ୍ୟା ଏବଂ ପଡ଼ୋଶୀ ରାଜ୍ୟର ରାଜନୈତିକ ପ୍ରଭାବ ଏବେ ଓଡ଼ିଶାର ଆମିଷ ବଜାର ଉପରେ ପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ମଟନ୍ ଏବଂ ମାଛ ଦର ହଠାତ୍ ବୃଦ୍ଧି ପାଇଛି। ମାତ୍ର ଦୁଇ ଦିନ ମଧ୍ୟରେ ମଟନ୍ କିଲୋ ପିଛା ୫୦ ଟଙ୍କା ମହଙ୍ଗା ହୋଇଛି। ପୂର୍ବରୁ କିଲୋ ପ୍ରତି ୮୦୦ ଟଙ୍କା ଥିବା ମଟନ୍ ଦର ଏବେ ୮୫୦ ଟଙ୍କାରେ ପହଞ୍ଚିଛି। ତଥାପି ରବିବାର ରାଜଧାନୀର ବିଭିନ୍ନ ଆମିଷ ମାର୍କେଟରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।

 

ଗୋଟିଏ ଦିନରେ ପ୍ରାୟ ୪ କୋଟିର ବେପାର!

ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ମହାସଂଘର ସଭାପତି ସେଖ୍ ମୁନ୍ତାକିମ୍ ବକ୍ସଙ୍କ ସୂଚନା ଅନୁଯାୟୀ, ଦର ବୃଦ୍ଧି ସତ୍ତ୍ୱେ ରବିବାର ଭୁବନେଶ୍ୱରରେ ରେକର୍ଡ ସଂଖ୍ୟକ କାରବାର ହୋଇଛି। କେବଳ ଗୋଟିଏ ଦିନରେ ରାଜଧାନୀରେ ସର୍ବମୋଟ ୩ କୋଟି ୮୭ ଲକ୍ଷ ୭୮ ହଜାର ୭୫୦ ଟଙ୍କାର ଆମିଷ ବେପାର ହୋଇଛି।

 

କାହିଁକି ବଢ଼ିଲା ଦର?

ଶ୍ରୀ ବକ୍ସଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ କୋଲକାତାରୁ ଆଉ ମଟନ୍ ଗାଡ଼ି ଓଡ଼ିଶା ଆସୁନାହିଁ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ବିଜୟ ପରେ ପ୍ରତି ଘରେ ଘରେ ଉତ୍ସବ ପାଳନ କରାଯାଉଥିବାରୁ ସ୍ଥାନୀୟ ବଜାରରେ ଚାହିଦା ଅଧିକ ରହିଛି। ଅନ୍ୟପଟେ, ତେଲ ସମସ୍ୟା ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ବିହାରରୁ ମଧ୍ୟ ଆବଶ୍ୟକ ମୁତାବକ ଗାଡ଼ି ଆସିପାରୁନି। ଭୁବନେଶ୍ୱର ମାର୍କେଟକୁ ରବିବାର ମାତ୍ର ୧୪ଟି ମଟନ୍ ଗାଡ଼ି ଆସିଥିଲା, ଯାହା ସାଧାରଣ ଦିନ ତୁଳନାରେ ଦୁଇଟି ଗାଡ଼ି କମ୍। ବାହାର ରାଜ୍ୟରୁ ଗାଡ଼ି ଆସୁଥିବାରୁ ଅଧିକ ତେଲ ଖର୍ଚ୍ଚ ଯୋଗୁଁ ମଟନ୍ ସହ ମାଛ ଦର ମଧ୍ୟ ବୃଦ୍ଧି ପାଇଛି।

Leave A Reply

Your email address will not be published.