ଅନୁପମ ପଟ୍ଟନାୟକଙ୍କ ‘ମନ୍ତ୍ର ମୁଗ୍ଧ’ର ଧମାକା,୧୫ ଦିନରେ ୩ କୋଟିରୁ ଅଧିକ କଲେକ୍ସନ
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ବକ୍ସ ଅଫିସରେ ଧମାକା କରୁଛି । କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କ ଭଲପାଇବା ଜିତିବାରେ ସଫଳ ହୋଇଛି । ମେ ୧ରେ ରିଲିଜ୍ ହୋଇଥିବା ଏହି ସିନେମା ୧୫ ଦିନ ମଧ୍ୟରେ ୩ କୋଟିରୁ ଅଧିକ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।
ସୋସିଆଲ ମିଡିଆରେ ନିର୍ମାତା ଫିଲ୍ମର କଲେକ୍ସନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେୟାର କରାଯାଇଥିବା ପୋଷ୍ଟର ଅନୁଯାୟୀ, ‘ମନ୍ତ୍ର ମୁଗ୍ଧ’ ରିଲିଜ୍ର ଦୁଇ ସପ୍ତାହ ମଧ୍ୟରେ ୩.୦୬ କୋଟି ଟଙ୍କା ଆୟ କରିଛି । ଫିଲ୍ମଟି ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି ।ପୋଷ୍ଟର ସହ ନିର୍ମାତା କ୍ୟାପସନରେ ଲେଖିଛନ୍ତି, “ଦୁଇ ସପ୍ତାହର ସମ୍ପୂର୍ଣ୍ଣ ମନୋରଞ୍ଜନ । ବକ୍ସ ଅଫିସରେ ୩.୦୬ କୋଟି ଟଙ୍କା ରୋଜଗାର କରିଛି ଏବଂ ପାଗଳାମି ଆହୁରି ବଢ଼ିବାରେ ଲାଗିଛି । ଏହି ଯାତ୍ରାକୁ ଅବିସ୍ମରଣୀୟ କରିଥିବା ସମସ୍ତ ପ୍ରେମ, ସମର୍ଥନ ଏବଂ ହାଉସଫୁଲ୍ ଭାଇବ୍ସ ପାଇଁ ଧନ୍ୟବାଦ ।”
ଫିଲ୍ମର ସଫଳତାକୁ ନେଇ ଅଭିନେତ୍ରୀ ଭୂମିକାଙ୍କ ସମେତ ପୁରା ଟିମ୍ ଉତ୍ସବ ମନାଇଛନ୍ତି । ସୋସିଆଲ ମିଡିଆରେ ଦର୍ଶକମାନେ ମଧ୍ୟ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । କେହି ଫିଲ୍ମକୁ “ସୁପର ଡୁପର ହିଟ୍” ବୋଲି କହିଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନକାରୀ ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି ।