ରଜରେ ପରଦାକୁ ଆସିବ ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’
ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ସାବିତ୍ରୀ ବ୍ରତ ଅବସରରେ ଅର୍ଦ୍ଧେନ୍ଦୁ ତାଙ୍କ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ ଘୋଷଣା କରିଛନ୍ତି । ଫିଲ୍ମର ପୋଷ୍ଟର ସହ ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଥିବା ବେଳେ ରଜ ଅବସରରେ ଏହା ପରଦାକୁ ଆସିବ ବୋଲି ଜଣାପଡ଼ିଛି ।
ଅର୍ଦ୍ଧେନ୍ଦୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ଶେୟାର କରିବା ସହ ୟୁଟ୍ୟୁବରେ ଫିଲ୍ମର ପ୍ରଥମ ଝଲକ ରିଲିଜ୍ କରିଛନ୍ତି । ପ୍ରାୟ ୧ ମିନିଟ୍ ୩୩ ସେକେଣ୍ଡର ଏହି ଭିଡିଓରେ ଏକ ଘରର ଦୃଶ୍ୟ ସହ ଏକ ବକ୍ସରେ ରହିଥିବା ଡାଏରୀକୁ ଦେଖିବାକୁ ମିଳୁଛି । ଜଣେ ମହିଳା ଡାଏରୀ ଖୋଲିବା ପରେ ସେଥିରେ ‘୨୦୧୯’ ଲେଖା ଥିବା ସହ ପ୍ରଥମ ପୃଷ୍ଠାରେ ଅର୍ଦ୍ଧେନ୍ଦୁଙ୍କ ଫଟୋ ଦେଖାଯାଉଛି । “ମୋ ଠୁ ମୋ ଯାଏଁ…” ଲେଖା ଥିବା ଏହି ଡାଏରୀରୁ କାହାଣୀ ଆରମ୍ଭ ହେଉଥିବା ଝଲକରେ ପ୍ରଦର୍ଶିତ ହୋଇଛି ।
ଭିଡିଓରେ ଜଣେ ନାୟକ ଓ ନାୟିକାଙ୍କ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଶେଷରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ରଜ ଅବସରରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି ।
‘ଡାଏରୀ’ ଫିଲ୍ମଟିକୁ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରଯୋଜନା କରାଯାଇଛି । ଫିଲ୍ମର ପ୍ରଯୋଜକ ଅଟନ୍ତି ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଅଟନ୍ତି ଆଦିକନ୍ଦ ସାହୁ । ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । କାହାଣୀ, ସ୍କ୍ରିନପ୍ଲେ ଓ ସଂଳାପ ଲେଖିଛନ୍ତି କୁନା ତ୍ରିପାଠୀ । ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ସୋମେଶ ଶତପଥୀ । ଡିଓପି ଭାବେ ସୀତାଂଶୁ ମହାପାତ୍ର କାମ କରିଥିବା ବେଳେ ଗୀତର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ ଏବଂ ଲୁବୁନ୍-ଟୁବୁନ୍ । ମାର୍କେଟିଂ ଏବଂ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ପ୍ରଣୟ ଜେଠୀ ଏବଂ ଟିମ୍ ରହିଛନ୍ତି l
ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କ ସହ ଜସ୍ମିନ ଓ ପ୍ରଜ୍ଞା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଥମ ଝଲକ ଦେଖିବା ପରେ ଫ୍ୟାନ୍ସମାନେ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ।