ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

0

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିର ସାଂସଦ ଏବଂ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସରକାର ଆସିବା ପରେ ମମତାଙ୍କ ଟିଏମ୍ସି ଦୁର୍ଗ ଦିନକୁ ଦିନକ ଦୁର୍ବଳ ହେବାରେ ଲାଗିଛି । ଏହାରି ଭିତରେ ଟିଏମସିର ଟାଣୁଆ ନେତା ତଥା ୪ ଥରର ସାଂସଦ ହୋଇଥିବା କାକୋଲି ଘୋଷ ଦସ୍ତିଦାର ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ।

ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରଦେଶର ଅଧ୍ୟକ୍ଷ ସୁବ୍ରତ ବକ୍ସିକୁ ଦେଇଛନ୍ତି । ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

କାକୋଲି ଗତ ବହୁ ଦଶକ ହେବ ଟିଏମସି ସହ ଜଡିତ ଥିଲେ । ସେ ପ୍ରାୟ ୯-୧୦ ମାସ ପର୍ଯ୍ୟନ୍ତ ଲୋକସଭାରେ ଦଳର ଚିଫ୍ ହ୍ବିପ ଥିଲେ । ଏହାପରେ ଗତ କିଛି ଦିନ ତଳେ ତାଙ୍କୁ ହଟାଇ ଏହି ଦାୟିତ୍ବ କଲ୍ୟାଣ ବାନାର୍ଜୀଙ୍କୁ ଦିଆଯାଇଥିଲା । ଏହି ନିଷ୍ପତ୍ତି କାରଣରୁ କାକୋଲି ଖୁବ୍ ଅସନ୍ତୁଷ୍ଟ ଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ, ୧୯୭୬ ରୁ ସମ୍ପର୍କ, ୧୯୮୪ ରେ ଯାତ୍ରା ଆରମ୍ଭ ହେଲା । ଆଜି ମୋତେ ୪ ଦଶକର ବିଶ୍ବାସନୀୟତାର ଏହି ପୁରସ୍କାର ମିଳିଲା ।

ଗତ ବିଧାନସଭା ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀରେ ଟିଏମସିର ଖରାପ ପ୍ରଦର୍ଶନ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି ପ୍ରଥମେ ସେ ବାରାସାତ ସାଂଗଠନିକ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ମଙ୍ଗଳବାର ଦିନ କୋଲକତା ନିକଟସ୍ଥ କଲ୍ୟାଣୀଠାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେରିଟେଜ୍ ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ନଦିଆ, ଉତ୍ତର ୨୪ ପ୍ରଗଣା ଏବଂ ହୁଗୁଳି ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କାକୋଲିଙ୍କ ସହ ଟିଏମସିର ଅନ୍ୟ ୬ ଜଣ ବିଧାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.