ମୋଦୀଙ୍କୁ ଅନଲାଇନ୍ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଅଷ୍ଟ୍ରେଲିଆନ୍ ଫେଡେରାଲ୍ ପୋଲିସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନଲାଇନରେ ଅଷ୍ଟ୍ରେଲିଆରୁ ହତ୍ୟା ଧମକ ଆସିଛି। ପିଏମ ମୋଦୀ ଜୁଲାଇ ୯ରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାର କିଛି ଦିନ ପୂର୍ବରୁ ତାଙ୍କୁ ଟାର୍ଗେଟ୍ କରି ଦିଆଯାଇଥିବା ଏହି ଅନଲାଇନ୍ ହତ୍ୟା ଧମକକୁ ନେଇ ଅଷ୍ଟ୍ରେଲିଆନ୍ ଫେଡେରାଲ୍ ପୋଲିସ (AFP) ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋସିଆଲ୍ ମିଡିଆରେ କରାଯାଇଥିବା ଏହି ଧମକପୂର୍ଣ୍ଣ ପୋଷ୍ଟ ସହ ଜଡିତ ଏକ IP ଆଡ୍ରେସକୁ ତଦନ୍ତକାରୀମାନେ ଚିହ୍ନଟ କରିଛନ୍ତି।
ରିପୋର୍ଟ ଅନୁସାରେ, ମେଲବର୍ଣ୍ଣର ମାର୍ଭେଲ୍ ଷ୍ଟାଡିୟମରେ ଜୁଲାଇ ୯ରେ ଆୟୋଜିତ ହେବାକୁ ଥିବା “Melbourne Meets Modi” କାର୍ଯ୍ୟକ୍ରମର ପ୍ରଚାର ସମ୍ପର୍କିତ ଏକ ଫେସବୁକ୍ ପୋଷ୍ଟ ତଳେ ଏହି ଧମକପୂର୍ଣ୍ଣ ମେସେଜ୍ ପୋଷ୍ଟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା ରହିଥିବା ଏଭଳି ଧମକ ପାଇବା ପରେ ଅଷ୍ଟ୍ରେଲିଆ ସରକାର ତତ୍ପର ହୋଇ ଉଠିଛି।
ଦ ଅଷ୍ଟ୍ରେଲିଆ ଟୁଡେର(The Australia Today)ର ରିପୋର୍ଟ ଅନୁଯାୟୀ, ଅବୁ ମୁସ୍ତାଫା ନାଁରୁ ଏହି ସୋସିଆଲ୍ ମିଡିଆ ପୋଷ୍ଟ ହୋଇଛି। ଏହି ଆକାଉଣ୍ଟରେ ଦିଆଯାଇଥିବା ଧମକପୂର୍ଣ୍ଣ ମେସେଜ୍ରେ ଲେଖାଯାଇଛି “କାର୍ଯ୍ୟକ୍ରମ ସମୟରେ ଷ୍ଟାଡିୟମର ଛାତ ବନ୍ଦ ରହିବା ଭଲ, ନଚେତ୍ ସେ(ମୋଦୀ) ଅଷ୍ଟ୍ରେଲିଆକୁ ନିଜ ମୃତ୍ୟୁ ପାଇଁ ଆସିବେ।” ରିପୋର୍ଟ ଅନୁଯାୟୀ, ଏହି ମନ୍ତବ୍ୟ ଅନଲାଇନ୍ରେ ପୋଷ୍ଟ ହେବାର ସେହିଦିନ ହିଁ ମାମଲାଟିକୁ ଅଷ୍ଟ୍ରେଲିଆନ୍ ଫେଡେରାଲ୍ ପୋଲିସ ନିକଟରେ ପହଞ୍ଚିଥିଲା।
ରିପୋର୍ଟ ଅନୁସାରେ, ପୋଲିସ ସୋସିଆଲ୍ ମିଡିଆ ପୋଷ୍ଟ ସହ ଜଡିତ IP ଆଡ୍ରେସକୁ ଚିହ୍ନଟ କରିଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା କେଉଁ ପରିସ୍ଥିତିରେ ପୋଷ୍ଟ କରାଯାଇଥିଲା, ତାହାର ତଦନ୍ତ କରୁଛି। ଘଟଣାର କୌଣସି ଆଇନଗତ ଅପରାଧ ଘଟିଛି କି ନାହିଁ, ସେ ନେଇ ମଧ୍ୟ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି। ତେବେ ଏହି ତଦନ୍ତକୁ ନେଇ ଅଷ୍ଟ୍ରେଲିଆନ୍ ଫେଡେରାଲ୍ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସାର୍ବଜନୀନ ବିବୃତ୍ତି ଜାରି କରାଯାଇନାହିଁ।