ଡିସିପି ମୀନାଙ୍କ ପରେ ଏବେ ଟ୍ରେନିଂ ଅଧାରୁ ଚାକିରି ଛାଡ଼ିଲେ ଯୁବ IPS ସି.ଏ. ରାମଦାସ

0

ଭୁବନେଶ୍ୱର : ଆଉ ଜଣେ IPS ଅଫିସରଙ୍କ ଇସ୍ତଫା । ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ପରେ ଏବେ ପ୍ରୋବେସନର ସି.ଏ. ରାମଦାସ ଛାଡ଼ିଲେ ଚାକିରି । ଜଗମୋହନ ମୀନାଙ୍କ ଇସ୍ତଫାକୁ କିଛି ଦିନ ବିତି ନଥିବା ବେଳେ, ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ସରକାରୀ ଚାକିରିରୁ ଅବ୍ୟାହତି ଚାହିଁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଓ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଟ୍ରେନିଂ ଅଧାରୁ ହିଁ ଚାକିରି ଛାଡିବା କହିଛନ୍ତି ୨୦୨୫ ବ୍ୟାଚର ଓଡ଼ିଶା କ୍ୟାଡର ଯୁବ ଆଇପିଏସ୍ ରାମଦାସ ।

 

ଏହି ଘଟଣା ଏବେ ପ୍ରଶାସନିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ବ୍ୟାଚର ୩୩ ବର୍ଷୀୟ ଆଇପିଏସ ପ୍ରୋବେସନର ସି.ଏ. ରାମଦାସ ସରକାରଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ରାମଦାସ ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ତାଲିମ ନେଉଛନ୍ତି । ମହାରାଷ୍ଟ୍ରର ବାସିନ୍ଦା ରାମଦାସ ଗତବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା । ସେ ଏବେ ତାଙ୍କ ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଅଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ପୋଷ୍ଟିଂ ପାଇନାହାନ୍ତି କିମ୍ବା କାର୍ଯ୍ୟ କରିନାହାନ୍ତି। ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ତାଙ୍କର ଏହି ଇସ୍ତଫାପତ୍ରକୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆଙ୍କ ନିକଟକୁ ପଠାଇ ଦିଆଯାଇଛି । ତେବେ ରାମଦାସ ହଠାତ୍ କେଉଁ କାରଣ ପାଇଁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ କିମ୍ବା ଏ ବାବଦରେ କୌଣସି ଆଧିକାରିକ ବୟାନ ଜାରି କରାଯାଇ ନାହିଁ ।

 

ଏହା ପୂର୍ବରୁ ୨୦୧୩ ବ୍ୟାଚର ଆଇପିଏସ ଅଧିକାରୀ ତଥା ଭୁବନେଶ୍ୱର DCP ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଥିଲେ । ଯାହାକୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଆନୁଷ୍ଠାନିକ ମଞ୍ଜୁରୀ ମିଳିନାହିଁ । ଦୁଇଜଣ ଓଡ଼ିଶା କ୍ୟାଡର IPS ଅଫିସରଙ୍କ ଇସ୍ତଫା ସରକାରୀ ହଲଚଲ୍ ବଢ଼ାଇ ଦେଇଥିଲେ ମଧ୍ୟ, ଏହି ଦୁଇଟି ମାମଲା ଭିତରେ କୌଣସି ସମ୍ପର୍କ ଥିବା ନେଇ ଅଧିକାରୀମାନେ କୌଣସି ସଙ୍କେତ ଦେଇନାହାନ୍ତି ।.

Leave A Reply

Your email address will not be published.